ପଡୋଶୀ ମିଠାରେ ବିଷ ମିଶାଇ ଖାଇବାକୁ ଦେଇଥିବା ଶିଶୁ ର ମୃତ୍ୟୁ
କଟକ : ପଡୋଶୀ ବିବାଦରେ ବଳି ପଡିଛି ୫ ବର୍ଷୀୟ ଶିଶୁ । ଦୀର୍ଘ ୩ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ଶେଷରେ କଟକ ଶିଶୁଭବନ ଆଇସିୟୁରେ ଦିବ୍ୟ ରଞ୍ଜନ ଆଖି ବୁଜିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ସାଲେପୁର ସିଶୁଆ-ବାହାବଳପୁର ଗାଁର ପଡୋଶୀ ଦିବ୍ୟ ରଞ୍ଜନକୁ ଘରକୁ ଡାକି ମିଠାରେ ବିଷ ମିଶାଇ ଖାଇବାକୁ ଦେଇଥିଲେ ।
ସୂଚନାନୁସାରେ, ସାଲେପୁର ବ୍ଲକ ସିଶୁଆ-ବାହାବଳପୁର ଗ୍ରାମର ରୋହିତ ମଲ୍ଲିକଙ୍କ ପୁଅ ଦିବ୍ୟରଞ୍ଜନ ଓରଫ ଋଷି । ଦୀର୍ଘ ଦିନରୁ ରୋହିତ ମଲ୍ଲିକଙ୍କ ସହ ପଡ଼ୋଶୀ ପ୍ରକାଶ କୁମାର ନାୟକଙ୍କ ଜମିବାଡ଼ିକୁ ନେଇ ବିବାଦ ରହିଥିଲା । ଏପରିକି ପ୍ରକାଶ ମଧ୍ୟ ଦିନେ ରୋହିତଙ୍କ ଘରକୁ ପୋଡ଼ି ଦେଇଥିଲେ । ବାରମ୍ବାର ରୋହିତଙ୍କ ପୁଅ ରିଶିକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ପ୍ରକାଶ ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମେ ୨୨ ତାରିଖରେ ରିଶି ବାଡ଼ିପଛ ପଟେ ଆମ୍ବ ଗୋଟାଉଥିବାବେଳେ ପ୍ରକାଶ ଡାକିଥିଲେ । ସେଠାରେ ତାଙ୍କୁ ବିଷ ମିଶା ମିଠା ଖାଇବାକୁ ଦେଇଥିଲେ । ମିଠା ଖାଇବାର କିଛି ସମୟ ପରେ ଘରକୁ ଆସି ଅସୁସ୍ଥ ହୋଇପଡ଼ିଥିଲା ରିଶି । ଏହାପରେ ତାଙ୍କୁ ପରିବାର ଲୋକେ ତୁରନ୍ତ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦୀର୍ଘ ୨୫ଦିନ ଧରି ଚିକିତ୍ସା ହେଉଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନେଇ ୫ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।




