ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁ ଗୁରୁତର
ବ୍ରହ୍ମପୁର : ବୁଲା କୁକୁରଙ୍କ ଆକ୍ରମଣରେ ନାବାଳକ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକକୁ କୁକୁର ପଲ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି । ଗୁରୁତର ଅବସ୍ଥାରେ ପିଲାଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ , ଗଞ୍ଜାମ ଜିଲ୍ଲା ପାଟପୁର ମହାନଳା ଅଞ୍ଚଳରେ ନାବାଳକ ଜଣକ ଘର ଦାଣ୍ଡରେ ଖେଳୁଥିଲେ । ଅଳ୍ପ ଦୂରରେ କିଛି କୁକୁର ଛୁଆ ଶୋଇଥିବା ବେଳେ ହଠାତ ଚାରିରୁ ପାଞ୍ଚଟି ବୁଲା କୁକୁର ନାବାଳ ଉପରକୁ ଝାମ୍ପ ମାରି ଝୁଣି ପକାଇଥିଲେ । ପିଲାଟି ଚିତ୍କାର କରିବା ପରେ ଲୋକ ମାନେ ଆସି କୁକୁରକୁ ଘଉଡ଼ାଇଥିଲେ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ନିକଟରେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଥିଲେ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ରାଜ୍ୟ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ହିଂସ୍ର କୁକୁରଙ୍କୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କୁକୁର ହିଂସ୍ର ହେବା ଚିନ୍ତାଜନକ । ଶିଶୁ ଓ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ସ୍ଥାନରେ ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲାକୁକୁରଙ୍କ ଆକ୍ରମଣରୁ ବାଦ ପଡ଼ୁନାହାନ୍ତି । ଏଥିପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।




