ପ୍ରତି ମାସରେ ଜିଲ୍ଲା ସ୍ତରୀୟ ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ
ଭୁବନେଶ୍ୱର : ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନେଇଛନ୍ତି ବଡ଼ ପଦକ୍ଷେପ । ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ଏଣିକି ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କୁ ନେଇ ଉଚ୍ଚ ସ୍ତରୀୟ ବୈଠକ ବସିବ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ। ଭିସି ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏହି ବୈଠକରେ ଯୋଡ଼ି ହେବେ । ଜିଲ୍ଲାସ୍ତରରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ବିଷୟରେ ସେ ସମୀକ୍ଷା କରିବେ। ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ବୈଠକରେ ଆଲୋଚନା କରାଯିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକକୁ ଆସିବେ। ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ। ସମସ୍ତ ବିଷୟ ବସ୍ତୁ ବିଷୟ ରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ଦରକାର। ସେହିପରି ବୈଠକର ଏଜେଣ୍ଡା ଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଁଚିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଚିଠି କରାଯାଇଛି।
ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଅଧିକ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ପନ୍ଦର-ଦଫା ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି।



