ଆଜି ଭଦ୍ରକ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଭଦ୍ରକ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ପ୍ରଳୟଙ୍କରୀ ବନ୍ୟା ବିଭୀଷିକା । ପାଣିରେ ଉବୁଟୁବୁ ହେଉଛି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ । ଆଗକୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ଆସନ୍ତା ୨ଦିନ ଗୁରୁତ୍ବପୂର୍ଣ୍ଣ । ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଧାମନଗର ଓ ତିହିଡି ବ୍ଲକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଯାଜପୁର ଓ ଭଦ୍ରକର ବନ୍ୟାଞ୍ଚଳ ପରିଦର୍ଶନ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି।

ଚତୁର୍ଥ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ଆଦି ୪ଟି ବ୍ଲକ ଏବଂ ଧୂଷୁରୀ NAC ପ୍ରଭାବିତ ହୋଇଛି । ଏହି ସବୁ ବ୍ଲକରେ ମୋଟ ୩୩ଟି ଗ୍ରାମ ପଞ୍ଚାୟତ, ୪ଟି ୱାର୍ଡ ଓ ୧୩୪ଟି ଗ୍ରାମ ପ୍ରଭାବିତ ହୋଇଛି । ୧ଲକ୍ଷ ୯୬ ହଜାର ୨୪୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପାଣିରେ ଟ୍ୟୁବୱେଲ ବୁଡ଼ି ରହିଥିବାରୁ ପିଇବା ପାଣି ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପରତା ସହ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିବା ସହ ଆବଶ୍ୟକ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି । ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ । ୧୮.୩୬ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । 

ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ ଯୋଗୁଁ ସେମାନେ ନଦୀ ବନ୍ଧ ଉପରେ ନିଜ ଗୋରୁ ଗାଇଙ୍କୁ ନେଇ ପଲିଥିନି ଟାଣି ଜୀବନ ବିତାଉଛନ୍ତି । ଶହ ଶହ ହେକ୍ଟର ଜମିରେ ବନ୍ୟା ପାଣି ୪ଟି ବନ୍ୟାରେ ବୁଡି ରହିବା ଯୋଗୁଁ ଚାଷୀ କୂଳ ଭାଙ୍ଗି ପଡିଛି ।

ରାଜମକୁନ୍ଦପୁର ବ୍ରିଜ ଓ ମାତଗଜପୁର ବ୍ରିଜ ଉପରେ ୩ ଫୁଟ ର ବନ୍ୟା ପାଣି ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ଗୋଟିଏ NDRAF ଟିମ ଓ ୩ଟି ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ରେ ଲାଗିଥିଲା ବେଳେ ବିପନ୍ନ ଲୋକ ଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି। 

Tags: