ରାଜ୍ୟସ୍ତରୀୟ ପରେଡ ରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟ ପାଳନ କରିବ ୮୦ ତମ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟସ୍ତରୀୟ ପରେଡରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାତ୍ମା ଗାନ୍ଧୀ ମାର୍ଗଠାରେ ସକାଳ ୯ ଟାରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ । ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରେଡ୍ ଓ ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଲୋକ ଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ । ସାଧାରଣତନ୍ତ୍ର ଦିବସ-୨୦୨୬ରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍ରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ କଣ୍ଟିଜେଣ୍ଟ ଓ ପ୍ରଜ୍ଞାପନ ମେଢ଼କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ସହ ସମ୍ବର୍ଦ୍ଧିତ କରିବେ। ଚଳିତ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବସ୍ଥଳରେ ସଫେଇ ଓ ପିଇବା ପାଣି ବ୍ୟବସ୍ଥା କରାଯିବ। ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ କମିସନରେଟ୍ ପୁଲିସ ପକ୍ଷରୁ ପରିଚାଳନା କରାଯିବ । ଏହି ବୈଠକରେ ବିଭାଗୀୟ ନିର୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦେଶକ(ବୈଷୟିକ) ଗୁର୍ବୀର୍ ସିଂ, ଅତିରିକ୍ତ ସଚିବ ଅଶୋକ କୁମାର ବେଉରିଆ, ଅତିରିକ୍ତ ନିର୍ଦେଶକ ସ୍ମିତା କର, ଯୁଗ୍ମ ନିର୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।




