ଦୁଇ ଦିନିଆ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦୁଇ ଦିନିଆ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଏକ ଦୁଇଦିନିଆ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ (ସଂଯୁକ୍ତ ଅରବ ଏମିରେଟ୍ସ) ଗସ୍ତ କରିବେ ।
ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ସାମିଲ ହେବେ। ଏ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ଦୁବାଇରେ ବିଭିନ୍ନ ଶିଳ୍ପପତି, ନିବେଶକ ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ୱାନ୍-ଟୁ-ୱାନ୍ (ଦ୍ୱିପାକ୍ଷିକ) ଆଲୋଚନା କରାଯିବ।
ଏହି ଅବସରରେ ଓଡ଼ିଶାର ଶିଳ୍ପ ସମ୍ଭାବନା, ଭିତ୍ତିଭୂମି, ନିବେଶ-ଅନୁକୂଳ ନୀତି ଏବଂ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ସୂଚନା ଦିଆଯିବ। ବିଶେଷକରି ଧାତୁ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଓ ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହାସହିତ ଦୁବାଇରେ ଏକ ବିଶାଳ ରୋଡ୍ ଶୋ’ ଆୟୋଜନ କରାଯିବା ସହ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।




