ଆଜିଠାରୁ ୩ ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜିଠାରୁ ୩ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ ଗସ୍ତ କରିବେ । ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବେ।
ମେ ୫ ତାରିଖରେ ଅହମ୍ମଦାବାଦରେ ଏକ ବଡ ନିବେଶକ ରୋଡ଼ ସୋ ଅନୁଷ୍ଠିତ ହେବ । ଏଥି ସହିତ ଅଗ୍ରଣୀ ଉଦ୍ୟୋଗପତିମାନ ଙ୍କ ସହ ରାଉଣ୍ଡଟେବୁଲ ବୈଠକ ଏବଂ One-to-One Meeting ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶାରେ ନିବେଶକୁ ତ୍ୱରାନ୍ୱିତ କରିବା ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ ଏବଂ ନିବେଶ ପାଇଁ ଇଣ୍ଟେଣ୍ଟ୍ ଲେଟର ମଧ୍ୟ ଆସିବ ।
ହାଇଦରାବାଦ ଓ କଲକାତାରେ ସଫଳତାର ସହ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ଆୟୋଜନ ପରେ ଗୁଜରାଟରେ ହେବାକୁ ଥିବା ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱବହନ କରୁଛି । ୫ରେ ଅହମଦାବାଦଠାରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ ପରେ ଶିଳ୍ପପତିମାନଙ୍କ ସହ କେମିକାଲ, ପେଟ୍ରୋକେମିକାଲ, ଧାତବ, ଆନୁଷଙ୍ଗିକ ଶିଳ୍ପ, ଔଷଧ, ମେଡିକାଲ ଉପକରଣ ଏବଂ ବୟନ, ପ୍ରସାଧନ ଆଦି କ୍ଷେତ୍ରରେ ଓଡ଼ିଶାରେ ସମ୍ଭାବନା ସମ୍ପର୍କରେ ଆଲୋଚନା କରିବେ । ଏହି ଅବସରରେ କିଛି କମ୍ପାନୀ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ରହିଛି । ସେହିପରି ୬ରେ ମୁନ୍ଦ୍ରା ବନ୍ଦର ଗସ୍ତ କରି ଶ୍ରୀ ମାଝୀ ବନ୍ଦର ଆଧାରିତ ଶିଳ୍ପ ସମ୍ପର୍କରେ ନିବେଶକଙ୍କ ସହ ଆଲୋଚନା କରିବେ। ୭ରେ ଭଦୋଦରାଠାରେ ମଧ୍ୟ ନିବେଶକମାନଙ୍କ ସହ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ।




