ଗୁରୁ ଦିବସରେ ପିଲାଙ୍କୁ ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ

ଗୁରୁ ଦିବସରେ ପିଲାଙ୍କୁ ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

କଟକ : ଆଜି ହେଉଛି ଗୁରୁଙ୍କ ପାଇଁ ସମର୍ପିତ ଦିନ 'ଗୁରୁ ଦିବସ' । ଦେଶର ପ୍ରଥମ ଉପରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ କଟକ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାଙ୍କୁ ନୀତିଶିକ୍ଷା ଦେବା ସହ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେବଳ ମଞ୍ଚରୁ ଭାଷଣ ଦେଇ ନଥିଲେ, ବରଂ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ମତାମତ ଜାଣିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପାଠପଢ଼ା, ଶିକ୍ଷା ଏବଂ ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏତେ ନିକଟରୁ ଦେଖିବା ଏବଂ ତାଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢାନ୍ତି ନାହିଁ, ଛାତ୍ର ଛାତ୍ରୀ ଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବାର କୌଶଳ ଶିଖାନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍ ଏବଂ ସୋସିଆଲ ମିଡିଆର ବ୍ୟବହାର ସୀମିତ କରି ନିଜ ପାଠପଢ଼ା ଏବଂ କ୍ୟାରିୟର ଉପରେ ମନୋନିବେଶ କରିବାକୁ ଆହ୍ୱାନ ଦେଇଛନ୍ତିମୁଖ୍ୟମନ୍ତ୍ରୀ  ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେଜି ରୁ ପିଜି ନିଶୁଳ୍କ ଶିକ୍ଷା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୨୨ ସ୍କୁଲର କାମ ଆରମ୍ଭ ହୋଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ୨୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆ ସରିଛି। ଆସନ୍ତା ତିନି ବର୍ଷ ଭିତରେ ଆଉ ୪୫ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ଉଦ୍ୟମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Tags: