ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ....

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ....
Samaya Live News Picture
Published On

--ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ 
--ଶିଶୁ ନିଖୋଜ ସଂଖ୍ୟା ବୃଦ୍ଧି
--ଭୁବନେଶ୍ୱରରେ କମିଛି କଟକରେ ବଢିଛି ଅପରାଧ 

ଭୁବନେଶ୍ୱର : ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ । କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଏହି ୧୫ ଜଣ ମାଓବାଦୀ ଲୁଚି ରହିଛନ୍ତି ବୋଲି ବିଧାନସଭାରେ ଲିଖିତ  ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ଉପସ୍ଥିତ ନାହାନ୍ତି । ଗତ ୨ ବର୍ଷରେ ୨୦୨୬ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୯୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ସୀମାନ୍ତରେ ମାଓ ଅପରେସନ ଜୋରଦାର୍ କରାଯାଇଛି। ନକ୍ସଲମାନେ ଆତ୍ମସମର୍ପଣ ନ କଲେ ସେମାନଙ୍କୁ ଦମନ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। 

ସେହିପରି ରାଜ୍ୟରେ ଶିଶୁ ନିଖୋଜ ହେବା ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଲିଖିତ ଉତ୍ତରରେ କହିଛନ୍ତି ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ମୋଟ ୬,୮୩୮ ଜଣ ଶିଶୁ ନିଖୋଜ ହୋଇଥିଲେ, ଯେଉଁଥିରୁ ୫,୯୪୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିଭଳି ୨୦୨୫ ମସିହାରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୮,୨୦୬ ରେ ପହଞ୍ଚିଛି । ତେବେ ପୁଲିସ ମାତ୍ର ୬,୦୩୬ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । 

ସେପଟେ ଟ୍ୱିନ ସିଟିରେ ଅପରାଧିକ ମାମଲା ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କଟକ ଅପେକ୍ଷା ଭୁବନେଶ୍ୱରରେ କମିଛି ଅପରାଧିକ ମାମଲା । ହତ୍ୟାକାଣ୍ଡ ମାମଲାରେ କଟକ ସହରରେ ଅପରାଧିକ ଗ୍ରାଫ୍ ଉପରମୁହାଁ ରହିଛି । ୨୦୨୪ରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୫ରେ ଏହା ୨୪କୁ ବୃଦ୍ଧି ପାଇଛି, ଯାହା ସ୍ଥାନୀୟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 

ରାଜଧାନୀରେ ହତ୍ୟାକାଣ୍ଡ ସଂଖ୍ୟା କଟକ ଅପେକ୍ଷା ଅଧିକ ରହିଥିଲେ ମଧ୍ୟ ଏଥିରେ ଆଖିଦୃଶିଆ ହ୍ରାସ ଘଟିଛି । ୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୫ରେ ଏହା ୩୩କୁ ଖସି ଆସିଛି । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ପରିସଂଖ୍ୟାନ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦର୍ଶାଉଛି । 

 

Tags: