ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି । ଦେଶରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଛି । ଇନ୍ଧନ ସହ ଗ୍ୟାସ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି କେନ୍ଦ୍ର ଯୋଗାଣ ମନ୍ତ୍ରୀ ମଧ୍ୟ ବିଭିନ୍ନ ରାଜ୍ୟର ଯୋଗାଣମନ୍ତ୍ରୀ ମାନଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହାକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭପତି ମନମୋହନ ସାମଲ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଓଡ଼ିଶା ଫେରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ସୋମବାର ସନ୍ଧ୍ୟାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି । ଯେଉଁଥିରେ କି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ। ଜିଲ୍ଲା ଗୁଡ଼ିକର କଣ ସବୁ ସ୍ଥିତି ରହିଛି ସେ ବାବଦରେ ଅବଗତ କରିବେ । ଏହାସହ ରାଜ୍ୟରେ ମହଜୁଦ୍ ଥିବା ବିଭିନ୍ନ ସାମଗ୍ରୀ କେଉଁ ଭଳି ଭାବେ ଲୋକଙ୍କ ନିକଟକୁ ସୁରୁଖୁରୁରେ ପହଞ୍ଚି ପାରିବ। କଳାବଜାରୀ ସମସ୍ୟା ଉପୁଜିବ ନାହିଁ, ସେଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ। ବିଶେଷ କରି ତୈଳ ସାମଗ୍ରୀକୁ ନେଇ ଉପୁଜିଥିବା ସମସ୍ୟାକୁ କେମିତି ମୁକାବିଲା କରି ହେବ ସେଥିପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ।




