ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଜିଲ୍ଲାପାଳଙ୍କୁ ୯ ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨ ଦିନିଆ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ୯ ଟି ପରାମର୍ଶ ଦେଇଛନ୍ତି । ଅଧିକ ଫିଲ୍ଡ ଭିଜିଟ୍‌ କରିବାକୁ ପରାମର୍ଶ ଦେଇଛନ୍ତି । ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତିରେ ସରରକାର ବଦନାମ ହେଲେ ବରଦାସ୍ତ କରାଯିବନି ।
 
ସେ କହିଛନ୍ତି ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହେଲେ ଲୋକମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଁଚି ପାରିବ । ଆଉ ତାହାର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିଛି । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରୁ ଦାରିଦ୍ର୍ୟ ଦୂର ହେବ ଏବଂ ଲୋକଙ୍କ ମୁହଁରେ ହସ ଫୁଟି ପାରିବ  ।   
 
ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସୋସିଆଲ ମିଡ଼ିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ ଏବଂ ଗାଦି ମଡା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
 
ସେହିପରି,୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ତୃଣମୂଳ ସ୍ତରର ସରକାରୀ ଅଧିକାରୀଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । 
 
ଅଧିକ ଫିଲଡ ଭିଜିଟ କରି ଲୋକଙ୍କ ନିକଟରେ ପହଞ୍ଚିବାକୁ କହିଛନ୍ତି I ସରକାର ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବେ ଜିଲ୍ଲାପାଳ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଉଛି । ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ ଯାଇ କାମ କରିବେ ନାହିଁ ବରଂ ଏହି କାମ ସେଠାକାର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ ।
 
 ଯଦି କୌଣସି କାମ ହୋଇପାରୁ ନାହିଁ ତାହାର ଉତ୍ତରଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିବ । ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତଭାବରେ ମିଶିବାର ସୁଯୋଗ ରହିଛି । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି କାର୍ଯ୍ୟକାରୀ କରିଛୁ । 
 
ପ୍ରକଳ୍ପଗୁଡ଼ିକର କ୍ରିୟାନ୍ୱୟନର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହୁଛି । ରାସ୍ତା, ବିଦ୍ୟୁତ ଏବଂ ପାନୀୟ ଜଳର ବାକି ଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ସରକାରଙ୍କ ନିକଟରେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  
 
ସେହିପରି ଗତ ୫୨୪ ଦିନ ସରକାରରେ ମୁଖ୍ୟମନ୍ତ୍ରୀ କେଉଁ କେଉଁ ଜିଲ୍ଲାକୁ କେତେଥର ଗସ୍ତ କରିଛନ୍ତି, ତାହାର ମଧ୍ୟ ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ମିଶିବାର ସୁଯୋଗ ମିଳିଛି ।  ଦେଢ଼ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାକୁ ସର୍ବାଧିକ ୩୪ ଥର ଗସ୍ତ କରିଥିବାବେଳେ ନିଜ ଜିଲ୍ଲା କେନ୍ଦୁଝରକୁ ୩୨ ଥର, ପୁରୀକୁ ୨୭ ଥର, ସମ୍ବଲପୁରକୁ ୮ ଥର,  ମୟୁରଭଞ୍ଜକୁ ୭ ଏବଂ ନିକଟରେ ନୂଆପଡ଼ାକୁ ୬ ଥର ଗସ୍ତ କରିଛନ୍ତି ବୋଲି କହିଛନ୍ତି  ।  
 
 
Tags: