ତୈଳ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

ତୈଳ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ
Samaya Live News Picture
Published On

ଭୁବନେଶ୍ୱର : ତୈଳ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଙ୍କୁଶ। ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଶରେ ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୧ - ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଏଣିକି ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡରେ କରାଯିବ। ଯେଉଁଠି ପ୍ରତ୍ୟକ୍ଷ ଆବଶ୍ୟକତା ଥିବ, ସେଠାରେ ଥିବା ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ । ଅନ୍ୟମାନେ ଭର୍ଚୁଆଲ ମୋଡରେ ଯୋଗ ଦେବେ ।  

୨ - ଜୁନ ୧ରୁ ସରକାରୀ ଅଫିସମାନଙ୍କରେ ଯଦି ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ ।  ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଗାଡ଼ି କିଣାକୁ ମିଳିବ ଅନୁମତି। 

୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ ।

୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ ।

୫- ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ ।

୬- ଯେଉଁ ଅଧିକାରୀମାନଙ୍କ ନିଜସ୍ଵ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

୭- ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ ।

୮- ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।

ଏହି ନୂଆ ନିୟମ କେବଳ ସଚିବାଳୟ ବା ଲୋକସେବା ଭବନ ମଧ୍ୟରେ ସୀମିତ ରହିବ ନାହିଁ । ଏହା ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

 

Tags: