କୋଟିଆ ପ୍ରସଙ୍ଗ ,ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

କୋଟିଆ ପ୍ରସଙ୍ଗ ,ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ବାକ୍‌ ଯୁଦ୍ଧ ପରେ ଏବେ ଚିଠି ରାଜନୀତି । ବିବାଦୀୟ କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଚିଠିର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କୋଟିଆ ପ୍ରସଙ୍ଗରେ ଗତ ଅକ୍ଟୋବର ୧୯ତାରିଖରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ । ନବୀନଙ୍କ ଚିଠିର ଜବାବ ଦେଇ ମୋହନ କହିଛନ୍ତି ଯେ, ୧୯୩୬ରେ ଓଡ଼ିଶା ଗଠନ ହେବା ପରଠାରୁ କୋଟିଆ ଗ୍ରାମପୁଞ୍ଜ ରାଜ୍ୟର ଅବିଚ୍ଛେଦ୍ୟ ଅଂଶ । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। କୋଟିଆ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଆଇନଗତ ଓ ସାମ୍ବିଧାନିକ ଉପାୟରେ ସମାଧାନ କରିବା ଆବଶ୍ୟକ । କୋଟିଆ ଓ ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିସହ ଅଞ୍ଚଳର ବିକାଶ ଓ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଦୀର୍ଘଦିନର ଏହି ବିବାଦର ସମାଧାନ ପାଇଁ ନବୀନବାବୁ ଗଠନମୂଳକ ପରାମର୍ଶ ଦିଅନ୍ତୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ କୋଟିଆର ସୁରକ୍ଷା ପାଇଁ କାମ କରୁଛନ୍ତି ବୋଲି ସେ ନବୀନଙ୍କୁ ଜଣାଇଛନ୍ତି ।

ସୂଚନାନୁସାରେ, ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରିବାକୁ ଘୋଷଣା କରିବା ପରେ ଓଡିଶା ରାଜନୈତିକ ସ୍ତରରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ଏ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିଥିଲେ । କେନ୍ଦ୍ରର ଏନଡିଏ (NDA) ସରକାର ଆନ୍ଧ୍ରର ଟିଡିପି (TDP) ସହଯୋଗରେ ଚାଲିଥିବାରୁ ଓଡ଼ିଶାର ବିଜେପି ସରକାର ନୀରବ ରହୁଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ଚିଠିରେ ଆନ୍ଧ୍ର ଅନୁପ୍ରବେଶ କଥା ଉଲ୍ଲେଖ କରିବା ସହ କୋଟିଆର ସର୍ବାଙ୍ଗୀନ ବିକାଶ କଥାକୁ ଦର୍ଶାଇଥିଲେ ନବୀନ । ଯାହାର ଉତ୍ତର ଏବେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି , ନବୀନ ପଟ୍ଟନାୟକ ଏଭଳି ଏକ ସ୍ପର୍ଶକାତର ସୀମା ସମସ୍ୟାର ସକରାତ୍ମକ ଓ ଆଇନଗତ ସମାଧାନ ଖୋଜିବା ପରିବର୍ତ୍ତେ ଏହାକୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଉପସ୍ଥାପନ କରୁଛନ୍ତି ।

 

Tags: