୧୩ ହଜାରରୁ ଅଧିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ୧୩ ହଜାରରୁ ଅଧିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic)ଙ୍କୁ ନିୟମିତ କରିଛନ୍ତି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି।
ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି । ତେବେ, ସେମାନେ ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
ସୂଚନାଯୋଗ୍ୟ ଯେ, ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।
ରାଜ୍ୟ ସରକାର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୦ମାସର ବିଜେପି ସରକାରରେ ୨୨,୫୦୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଚଳିତ ବର୍ଷ ଆହୁରି ୨୦ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।



