ସେପ୍ଟେମ୍ବର ୧ ରେ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସେପ୍ଟେମ୍ବର ୧ ରେ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧ ରେ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ଏହି ନୂତନ ମୋବାଇଲ ଆପ୍ଲିକେସନ୍‌ର ଶୁଭାରମ୍ଭ ହେବ । ‘ସମ୍ବନ୍ଧ’ ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । 

ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ । ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ । କୃଷି ସେବା କେନ୍ଦ୍ର ରୂପେ ବିକଶିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସଭଳି ୫୦ଟି କୃଷି ସେବା କେନ୍ଦ୍ରର ଶୁଭାରମ୍ଭ ହେବ । ଗ୍ରାମାଞ୍ଚଳର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା ପାଇଁ ୪୬ଟି ଖାଉଟି କେନ୍ଦ୍ର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ସେବା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦ଟି ଜନସେବା କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯିବ । 

ସ୍ୱଚ୍ଛତା ଓ କ୍ଷମତା ବୃଦ୍ଧି ପାଇଁ ପ୍ୟାକ୍ସଗୁଡିକୁ ଜାତୀୟ ପ୍ୟାକ୍ସ କମ୍ପ୍ୟୁଟରାଇଜେସନ ସଫ୍ଟୱେର୍ (NLPS)ରେ ସାମିଲ କରାଯାଉଥିବା ବେଳେ ୨୦୦ଟି ପ୍ୟାକ୍ସକୁ ମଙ୍ଗଳବାର ଏଥିରେ ସାମିଲ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା ୧୦୦ଟି ମଡେଲ ମଣ୍ଡି ସ୍ଥାପିତ ହେବ । ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅନୁମୋଦିତ ହୋଇଥିବା ୩୮ଟି ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ ୨ଟି, ଖୋର୍ଦ୍ଧାରେ ୧ଟି ଏବଂ ପୁରୀରେ ୧ଟି ସମେତ ମୋଟ ୪ଟି ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ଆଭାଷୀ ମାଧ୍ୟମରେ ସ୍ଥାପନ କରାଯିବ । ଏହାସହିତ ରାଜ୍ୟ ପଣ୍ୟାଗାର ନିଗମ (OSWC) ରେ ୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।

Tags: