ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ , ପୁଙ୍ଖନପୁଙ୍ଖ ତଦନ୍ତ ହେବ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା । ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଓରାଙ୍ଗଉଟାନ ଟି କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲା, ସେନେଇ ସବିଶେଷ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାକୁ କେବେ ବି ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣର ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି ଅନ୍ତରାଷ୍ଟ୍ରୀୟ ସ୍ମଗଲିଂର ସମ୍ପୃକ୍ତି ମିଳେ, କାହାରିକୁ ଛଡ଼ାଯିବନି, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି ।
ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ଵୟ ରଖ୍ ଟିକିନିଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିରଳ ପ୍ରାଣୀଗୁଡ଼ିକ କେଉଁ ରୁଟ୍ ଦେଇ ଓଡ଼ିଶାରେ ପହଞ୍ଚିଲେ ? ଏହା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ ? ଚୋରା ଚାଲାଣରେ କିଏ କିଏ ସମ୍ପୃକ୍ତ ଅଛନ୍ତି? ଏସବୁ ତଦନ୍ତ କରି ରହସ୍ୟରୁ ପରଦା ହଟାଯିବ ବୋଲ ସେ ସ୍ପଷ୍ଟ କରିଛନ୍ତି । ଓରାଙ୍ଗଉଗନ୍ଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାରେ ସମ୍ପୃକ୍ତ ଚାଲାଣକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ବନ୍ୟଜନ୍ତୁ ଚାଲାଣ ରୋକିବା ଦିଗରେ ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ WCCB (Wildlife Crime Control Bureau) ସହ ଆବଶ୍ୟକ ସମନ୍ୱୟ ରଖି ତଦନ୍ତକୁ ଆଗେଇ ନେବାକୁ ପରାମର୍ଶ ଦିଆଯାଇଛି।




