୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ,ପୂର୍ତ୍ତ ବିଭାଗ,ଜଳ ସମ୍ପଦ ବିଭାଗ,ନଗର ଉନ୍ନୟନ ବିଭାଗର ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହା ସହିତ ୪୨୫ କୋଟି ଟଙ୍କାର ନୂତନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏବଂ ୨୦୬୩ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ନୂତନ ସରକାର ଆସିବା ପରେ ୧୬ ମାସ ମଧ୍ୟରେ ପ୍ରାୟ ୩୮ ହଜାର ଜଣଙ୍କୁ ନିଯୁକ୍ତି ମିଳି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସ୍ଥିତ ଓୟୁଏଟି ଓଡ଼ିଶା କୃଷି ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଜଳ ସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସ୍ୱପ୍ନକୁ ସାକାର କରିବାକୁ ହେଲେ ଦିନରାତି ବହୁତ କଠିନ ପରିଶ୍ରମ ଏବଂ ଉଦ୍ୟମ କରିବାକୁ ପଡ଼େ । କେବଳ ସ୍ୱପ୍ନ ଦେଖିଲେ ସାକାର ହୁଏ ନାହିଁ, ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଗୀତାର ଏକ ଶ୍ଳୋକକୁ ଉଦ୍ଧୃତ କରିଥିଲେ । ଏହି ଅବସରରେ ନବ ନିଯୁକ୍ତଙ୍କୁ ତିନି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି । ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତର ବିକାଶର ଦ୍ୱାର ହେବ ପୂର୍ବ ଭାରତ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା । ଆମକୁ ରେଳ ଇଞ୍ଜିନ ହୋଇ ବିକାଶର ରେଳକୁ ଆଗକୁ ବଢ଼ାଇବାକୁ ପଡ଼ିବ । ସେଥିପାଇଁ ମାନବ ସମ୍ବଳର ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ମିଳିବ । ପ୍ରଥମ ୧୬ ମାସରେ ୧୨ଟି ନିଯୁକ୍ତି ମେଳା ଜରିଆରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି । ଆଜି ୧୩ତମ ନିଯୁକ୍ତି ମେଳାରେ ଆଉ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି । ତେଣୁ ଏହାକୁ ମିଶାଇ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ମିଳିଛି । ସରକାର ଗତିକୁ ବଢ଼ାଇବାକୁ ଏବଂ ବଜେଟକୁ ପୂର୍ଣ୍ଣ ମାତ୍ରାରେ ଖର୍ଚ୍ଚ କରିବାକୁ ଏହା ସହାୟକ ହେବ ।


