୨୫୦ ଟି ଆମ୍ବୁଲାନ୍ସ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୫୦ ଟି ନୂଆ ଆମ୍ବୁଲାନ୍ସ ସେବା ଲୋକାର୍ପିତ । ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରୁ ୨ୟ ପର୍ଯାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ସେବାକୁ ଲୋକାର୍ପଣ କରିଛନ୍ତି । ଏଗୁଡିକ ମଧ୍ୟରେ ୭ ଟି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଲାଇଫ ସପୋର୍ଟ ସହ ଜରୁରୀ କାଳୀନ ବ୍ୟବସ୍ଥା ରହିଛି ।
ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଥିବା ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ବିମାନବନ୍ଦର ନିମନ୍ତେ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ତେବେ ପ୍ରତି ଆସୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।
ନୂଆ ଆମ୍ବୁଲାନ୍ସ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ସେବାରେ ନିୟୋଜିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରାଯିବ । ଯାହା ଫଳରେ କି ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ରାଜ୍ୟର ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ୍ ୮୬୬ଟି ଆସୁଲାନ୍ସ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଅଛି । ଏଥିରେ ବିଶେଷ କରି ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍ଭାନ୍ସ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି ।



