କାଳବୈଶାଖୀ ଏବଂ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
କେନ୍ଦୁଝର / ପୋଲସରା : ୨ଟି ଦୈବୀ ଦୁର୍ବିପାକ ଜନିତ ଅପମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି । ୯ଜଣ ମୃତକଙ୍କ ଆତ୍ମୀୟ ସ୍ଵଜନଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଦିଆଯିବ ।
ଗତକାଲି ଅପରାହ୍ନରେ କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ୩ ଜଣ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । କାଳ ବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲ୍ଲା ନରଣପୁର ଗୁଡାସାହିରେ ଏକ ଟେଣ୍ଟ ହାଉସ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଟେଣ୍ଟ୍ ହାଉସ୍ ଉପରେ ଆଜବେଷ୍ଟସ୍ ଛାଉଣି ଥିବା ବେଳେ ତଳେ ବାଉଁଶ ବାନ୍ଧି ଟେଣ୍ଟ କପଡ଼ା ରଖାଯାଇଥିଲା । କାଳବୈଶାଖୀ ପ୍ରଭାବରେ ଏହାର ଆଜବେଷ୍ଟସ୍ ଉଡ଼ିଯାଇ ଭିତର ବାଉଁଶ ଭୁସୁଡ଼ି ପଡ଼ିବାରୁ ତଳେ ବସିଥିବା ୪ଜଣ ଟେଣ୍ଟ ହାଉସ କର୍ମଚାରୀଙ୍କ ମଧ୍ୟରରୁ ୩ଜଣ ମୃତ୍ୟୁ ବରଣ କରି ଥିବାବେଳେ ଅନ୍ୟଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେହିପରି, ଆଜି ସକାଳେ ଗଞ୍ଜାମ ସଡକ ଦୁର୍ଘଟଣାରେ ୬ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦାରୁଣ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ସୂଚନାନୁସାରେ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।
ଆଜି ଗୋଟିଏ ପରିବାରର ୧୦ଜଣ ମିଶି ଏକ ଅଟୋ ଭଡା କରି ଚିକିଟି ଏରଣ୍ଡା ରୁ କୋଦଳା ସିଂହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଏହି ସମୟରେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ 'ଡାଇମଣ୍ଡ' ନାମକ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଦୁର୍ଘଟଣା ଅତି ଭୟଙ୍କର ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।



