ଆବୁଧାବିରେ ମୁଖ୍ୟମନ୍ତ୍ରୀ ,ଟିମ ଓଡିଶାକୁ ଭବ୍ୟ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ : ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ 'ଟିମ ଓଡିଶା' । ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟିବ ନିବେଶ ସୁଅ, ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କ ସହ ଆଲୋଚନା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ତିନି ଦିନ ଧରି ନିବେଶକଙ୍କ ସହ ମାରାଥନ ବୈଠକ ଓ ଆଲୋଚନା ଚାଲିବ। ଦୁବାଇରେ ‘ଓଡ଼ିଶା ରୋଡ୍ ଶୋ’ ଆୟୋଜିତ ହେବ।
ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୟୁଏଇ ରେ ବିଭିନ୍ନ ନିବେଶକ, ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୨ରେ ଭାରତ ଫେରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ IPICOLର ବରିଷ୍ଠ ଅଧିକାରୀମାନେ ରହିଛନ୍ତି।''
ଭାରତ-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ଜନସମ୍ପର୍କ ବୃଦ୍ଧିର ସୁଯୋଗ ନେଇ ଆଲୋଚନା ହୋଇଛି। ଏହାସହ ୟୁଏଇ ରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।
ଆବୁଧାବିରେ 'ହାଉସ ଅଫ୍ ଇଣ୍ଡିଆ' ବା ଭାରତୀୟ ଦୂତାବାସରେ ଓଡ଼ିଆ ସମାଜ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆବୁଧାବିରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଏବଂ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଓଡ଼ିଶା-ୟୁଏଇ ସାମାଜିକ, ସାଂସ୍କୃତିକ ଓ ଶିଳ୍ପ ସମ୍ପର୍କ ନେଇ ଆଲୋଚନା ହୋଇଥିଲା । ୟୁଏଇ ରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ନିରନ୍ତର ସହଯୋଗ, ସୁବିଧା ଓ ସହଜ ଜୀବନଯାପନ ସୁନିଶ୍ଚିତ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ୟୁଏଇ ଓ ଓଡ଼ିଶା ମଧ୍ୟରେ ସମ୍ପର୍କର ସେତୁ ଭାବେ ପ୍ରବାସୀ ଓଡ଼ିଆ ମାନଙ୍କ ଅବଦାନକୁ ସେ ସ୍ୱୀକାର କରିଛନ୍ତି।''




