ନିରାକାରପୁର କଲେଜରେ ଛାତ୍ର ଅଶାନ୍ତି , ୧୪୪ଧାରା ଜାରି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି (KSDAV) ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କଲେଜ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା (ଭାରତୀୟ ନାଗରିକ ସୁରକ୍ଷା ସଂହିତା - BNSS ର ଧାରା ୧୬୩) ଜାରି କରାଯାଇଛି । ଏହାର ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯାଇଛି । ରାସ୍ତା ଉପରେ ଛାତ୍ରଛାତ୍ରୀ ବସି ରହିବାରୁ ଯାତାୟାତ ଠପ୍ ହୋଇଯାଇଛି। ଘଟଣାସ୍ଥଳରେ ବାଲୁଗାଁ ଏସ୍ଡିପିଓ, ନିରାକାରପୁର ଥାନା ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି ।
ସୂଚନାନୁସାରେ, ଛାତ୍ର ସଂସଦ ନିର୍ବାଚନ ପ୍ରଚାର ସମୟରେ ଟାଙ୍ଗୀ ବ୍ଲକର ନାଲସିଂ ଗ୍ରାମରେ ବିସିଜେଡି (BCJD) ସମର୍ଥିତ ସଭାପତି ପ୍ରାର୍ଥୀ ବିଷ୍ଣୁଚରଣ ସେନାପତିଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ହିଂସାତ୍ମକ ଘଟଣା ଏବଂ କ୍ୟାମ୍ପସର ଅନିୟନ୍ତ୍ରିତ ପରିସ୍ଥିତି ଯୋଗୁଁ କଲେଜ ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ନିର୍ବାଚନକୁ ବାତିଲ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ପରିସରରେ ୧୪୪ ଧାରା ଜାରି କରାଯାଇଛି । ଘଟଣାସ୍ଥଳରେ ବାଲୁଗାଁ ଏସ୍ଡିପିଓ, ନିରାକାରପୁର ଥାନା ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି ।




