ଅପମିଶ୍ରିତ ଛେନା ପାଇଁ ପାହାଳ ମିଠା ଦୋକାନରେ ଯାଞ୍ଚ

ଅପମିଶ୍ରିତ ଛେନା ପାଇଁ ପାହାଳ ମିଠା ଦୋକାନରେ ଯାଞ୍ଚ
Samaya Live News Picture
Published On

ଭୁବନେଶ୍ୱର : ପାର୍ବଣ  ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି । ଘନ ଘନ ମିଠା ଦୋକାନ ଗୁଡିକରେ ଯାଞ୍ଚ ହେଉଥିବାରୁ ରାକ୍ଷୀ ସମୟରେ ଦେଢ଼ ଗୁଣା ଲାଭ ଆଶା ରଖିଥିବା ମିଠା ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ନେଇ ଆଜି ପାହାଳରେ ଥିବା ଏକାଧିକ ମିଠା ଦୋକାନରେ ଚଢାଉ ଚାଲିଛି । ମିଠାରେ କୌଣସି ରାସାୟନିକ ପଦାର୍ଥ ମିଶିଛି ନା ନାହିଁ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହାର ତନାଘନା ଜାରି ରହିଛି । ମଙ୍ଗଳବାର ପାହାଳ ମିଠା ବଜାରରେ ଟେଷ୍ଟିଙ୍ଗ ଭ୍ୟାନ୍ ସହ ଅଧିକାରୀମାନେ ପହଞ୍ଚି ବିଭିନ୍ନ ଦୋକାନରେ ଯାଞ୍ଚ କରୁଛନ୍ତି ।

ଛେନା ଓ ପନିରରେ କୌଣସି ଅନୁଚିତ ପଦାର୍ଥ ବ୍ୟବହାର ହେଉଛି କି, ସେଗୁଡ଼ିକର ଗୁଣବତ୍ତା ଠିକ୍ ଅଛି କି ନାହିଁ ଏବଂ ମିଠା ପ୍ରସ୍ତୁତିରେ ଖାଦ୍ୟ ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହିଁ—ସେନେଇ ଯାଞ୍ଚ କରାଯାଉଛି। ସନ୍ଦେହଜନକ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବା ସହ ନିୟମ ଉଲ୍ଲଂଘନ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସୂଚନା ଦିଆଯାଇଛି।

ପୂର୍ବରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନ, ହୋଟେଲ ଓ ପନିର ବିକ୍ରୟ କେନ୍ଦ୍ରରେ BMCର ଫୁଡ୍ ସେଫ୍ଟି ଟିମ୍ ଚଢ଼ାଉ କରିଛି। ସୋମବାରର ଅଭିଯାନରେ ପ୍ରାୟ ୧୦୦ କିଲୋଗ୍ରାମ୍ ପୁରୁଣା ପନିର ଜବତ କରି ନଷ୍ଟ କରାଯାଇଥିବା ଖବର ମିଳିଛି। ଏହାସହ ଦୁଇଟି ସନ୍ଦେହଜନକ ପନିର ନମୁନାକୁ ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। ନିୟମ ଉଲ୍ଲଂଘନ କରିଥିବା ୧୨ ଜଣ ବ୍ୟବସାୟୀଙ୍କ ଉପରେ ମୋଟ ୧୨ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି ।  

Tags: