ଅଗଷ୍ଟ ୩୧ ଯାଏଁ ବଢ଼ିଲା ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଅବଧି

ଅଗଷ୍ଟ ୩୧ ଯାଏଁ ବଢ଼ିଲା ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଅବଧି
Samaya Live News Picture
Published On

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆଶ୍ବସ୍ତି । ଅଗଷ୍ଟ ୩୧ ଯାଏଁ ବୃଦ୍ଧି ପାଇଲା ତାଙ୍କ ଫେରସ୍ତ ଅବଧି । ବର୍ଷ ବର୍ଷ ଧରି ନିଜ ଜମା ଟଙ୍କା ଫେରି ପାଇବା ଆଶାରେ ଅପେକ୍ଷା କରିଥିବା ହଜାର ହଜାର ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଏହା ଏକ ବଡ଼ ଖୁସି ଖବର । ସବୁଠାରୁ ବଡ଼ କଥା ହେଲା, ଏବେ ଟଙ୍କା ଫେରସ୍ତ ପାଇବା ପାଇଁ ମୂଳ ଜମା ରସିଦ ଦେଖାଇବାର ଆବଶ୍ୟକତା ରହିବ ନାହିଁ । ଏନେଇ  ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ସୁପାରିଶ ଆଧାରରେ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି। ଅନେକ ଜମାକାରୀ ସମୟକ୍ରମେ ମୂଳ ରସିଦ ହରାଇ ଦେଇଥିବାରୁ ଟଙ୍କା ପାଇବାରେ ସମସ୍ୟା ଭୋଗୁଥିଲେ। ଏବେ ସେମାନେ କେବଳ ବୈଧ ପରିଚୟପତ୍ର ଦେଖାଇ ନିଜର ଦାବି ଉପସ୍ଥାପନ କରିପାରିବେ। ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଅନେକ ଜମାକାରୀଙ୍କ ପାଖରେ ମୂଳ ରସିଦ ଉପଲବ୍ଧ ନଥିବାରୁ ସେମାନେ ଟଙ୍କା ଫେରି ପାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଅବଧିକୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅର୍ଥ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, କୌଣସି ପ୍ରକୃତ କ୍ଷୁଦ୍ର ଜମାକାରୀ ଯେପରି ଟଙ୍କା ଫେରସ୍ତରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଅଗଷ୍ଟ ୩୧ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବାକୁ ସରକାର ଅନୁରୋଧ କରିଛନ୍ତି।

Tags: