ଚନ୍ଦ୍ର ଗ୍ରହଣ ଯୋଗୁଁ ମହାପ୍ରଭୁଙ୍କ ନୀତିରେ ପରିବର୍ତ୍ତନ
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ଏହା କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଫଳରେ ରାତିରେ ମହାପ୍ରଭୁଙ୍କ ସୁନାବେଶ ସହ ଦୋଳଗୋବିନ୍ଦ ଓ ଭୂଦେବୀ,ଶ୍ରୀଦେବୀ ଦୋଳବେଦୀକୁ ବିଜେ କରିବାକୁ ଥିବାରୁ ଦିନରେ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଏପରିକି ଦିନବେଳା ମହାପ୍ରସାଦ ପାଇବାରୁ ମଧ୍ୟ ବଞ୍ଚିତ ହେବେ ଭକ୍ତ।
ଦୋଳପୂର୍ଣ୍ନିମା ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ପୁରୀରେ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି । ଗ୍ରହଣ ସ୍ପର୍ଶ କରିବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରାଯିବ। ସୂର୍ଯ୍ୟୋଦୟ ସକାଳ ୬ ଟା୮ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତି,ମଇଲମ,ତଡପଲାଗି ନୀତି ପରେ ସକାଳ ୬ ଟା ସୁଦ୍ଧା ଅବକାଶ ନୀତି ଶେଷ କରାଯିବ । ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କୁ ସୁନାଵେଶ କରାଯାଇ ଭୂଦେବୀ ଏବଂ ଶ୍ରୀଦେବୀ ସହିତ ଦୋଳମଣ୍ଡପକୁ ବିଜେ ହୋଇ ଭୋଗମଣ୍ଡପ ଆଦି ନୀତିକାନ୍ତି ଅନୁଷ୍ଠିତ ହେବ । ଏନେଇ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯିବ।
ମାର୍ଚ୍ଚ ୩ ତାରିଖରେ ଭାରତୀୟ ସମୟ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ ୩ଟା ୨୦ମିନିଟ ସମୟ ହେଇଥିବ । ଆଂଶିକ ଗ୍ରହଣ ଦିନ ୩ଟା ୨୦ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି । ୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ ।



