ଚନ୍ଦନ ଯାତ୍ରା ବିଭ୍ରାଟ , ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ
ପୁରୀ : ସେବାୟତଙ୍କ ମନମାନୀ ଯୋଗୁଁ ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ । ଚନ୍ଦନ ଯାତ୍ରାର ନବମ ଦିବସରେ ଦେଖା ଦେଇଛି ବଡ଼ ବିଭ୍ରାଟ। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ମହାପ୍ରଭୁ। ଫଳରେ ଚାପ ନ ଖେଳି ବାହୁଡ଼ି ଆସିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ। ଯାହାକୁ ନେଇ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।
ସେବକଙ୍କ ଭିତରେ ଝଗଡ଼ା ଲାଗି ଚନ୍ଦନ ଠାକୁରଙ୍କ ନୀତି ଢେର୍ ସମୟ ଅଟକିଥିଲା । ରାତି ଚାପ ପାଇଁ ଠାକୁରେ ନନ୍ଦା ଭଦ୍ରାରେ ବିଜେ ହୋଇସାରିଥିଲେ। ରାତି ଦଶଟାରେ ପ୍ରାୟ ଜଳକ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା। କିଛି କ୍ଷଣ ଭିତରେ ଠାକୁରଙ୍କ ଚାପ କ୍ରୀଡ଼ା ହୋଇଥାନ୍ତା। ହେଲେ ଦୁଇ ଭିନ୍ନ ନୀତି ସେବକଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କ ଚାପ ଅଟକିଗଲା।
ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଥିଲେ ଚଳନ୍ତି ଠାକୁର ।ଏପଟେ ଚାପରେ ଠାକୁରଙ୍କ ଚାମର ସେବା ଆଦି ଜାରି ରହିଥାଏ। ପରବର୍ତ୍ତୀ ନୀତି କ’ଣ ହେବ ଅର୍ଥାତ୍ ଚାପରେ ନରେନ୍ଦ୍ର ଜଳରେ ଠାକୁରେ କ୍ରୀଡ଼ା କରିବେ କିମ୍ବା ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ କେହି କିଛି ଜାଣିପାରୁ ନଥିବା କହିଛନ୍ତି ଦେଖଣାହାରୀ।
ସେପଟେ, ଆଜି ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଛି । ବୈଠକରେ ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି ସଦସ୍ୟ , ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଅଛନ୍ତି । ଗତକାଲି ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳି ନପାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ ମହାପ୍ରଭୁ।
ଗତକାଲି ସିଂହାରୀ ଓ ସୁଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ରହିଥିଲା ମହାପ୍ରଭୁଙ୍କ ଚାପ ଖେଳ । ଚାପରେ କେତେ ସଂଖ୍ୟକ ସେବକ ରହିବେ,ତାକୁ ନେଇ ହୋଇଥିଲା ବିବାଦ ।



