ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ସହ ଚନ୍ଦନ ଯାତ୍ରା ଆରମ୍ଭ
ଭୁବନେଶ୍ୱର:ଆଜି ହେଉଛି ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପୁରୀ ରଥଖଳା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।
ରଥ ନିର୍ମାଣ ପାଇଁ ଆବଶ୍ୟକ ୩୨୬ ଖଣ୍ଡ କାଠ ସର୍ବମୋଟ ଭାବେ ରଥଖଳାରେ ପହଞ୍ଚି ସାରିଛି। ବନଯାଗ ବିଧି ଅନୁସାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଏବଂ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପୂଜାକାର୍ଯ୍ୟ ସମ୍ପାଦନ କରିବେ। ନୀତି ନିର୍ଘଣ୍ଟ ଅନୁସାରେ, ଅପରାହ୍ଣରେ ଶ୍ରୀଜିଉଙ୍କ ଆଜ୍ଞାମାଳ ସହ ଚନ୍ଦନ ଠାକୁର ପଟୁଆରରେ ରଥଖଳାକୁ ବିଜେ କରିବେ। ତିନି ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ୩ଟି ଆଜ୍ଞାମାଳ ନେଇ ଆସିବେ। ଏହି ଶୁଭ ଅବସରରେ ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ରୂପକାର, କମାର, ଚିତ୍ରକର, ଭୋଇ ଓ ଅମୀନ ସେବକମାନେ ଉପସ୍ଥିତ ରହିବେ।
ଅକ୍ଷୟ ତୃତୀୟାର ଅନ୍ୟ ଏକ ପ୍ରମୁଖ ପରମ୍ପରା ହେଉଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଆଜିଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡ଼ା କରିବେ। ରଥନିର୍ମାଣ ସହ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଯାହା ୨୧ ଦିନ ଧରି ଚାଲିବ । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ଏଥିରେ ଭୁଦେବୀ, ଶ୍ରୀଦେବୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚ ଶଙ୍କର ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ ଏବଂ ନୀଳକଣ୍ଠ ଏମାନେ ମଧ୍ୟ ମହାପ୍ରଭୁଙ୍କ ସହ ଯାତ୍ରା କରିଥାନ୍ତି ।



