ଆଗକୁ ୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ବର: କେଇଦିନ ହେଲା ରାଜ୍ୟରେ ବଦଳିଛି ପାଣିପାଗ । ଦିନବେଳା ଟାଣ ଖରା ସାଙ୍ଗକୁ ଅପରାହ୍ନ ବେଳକୁ ମାଡିଆସୁଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନରେ କାଁଭାଁ କୋହଲିଆ ପାଗ ରହିଥିବା ବେଳେ ଆହୁରି ୫ ଦିନ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୫ ଦିନଯାଏ ବଜ୍ରପାତ ସହ ପବନ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେହିପରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି।
ଅନ୍ୟପଟେ , ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉଛି। ଟିଟିଲାଗଡ଼ରେ ପାରଦ ୪୦.୮ଡିଗ୍ରୀ ଛୁଇଁଛି। ଭବାନୀପାଟଣାରେ ୩୯.୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ଓ ସୁବର୍ଣ୍ଣପୁରରେ ୩୯.୪ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁରରେ ୩୮.୭, ତାଳଚେରରେ ୩୮.୬, ବଲାଙ୍ଗିରରେ ୩୮.୮ ରାଉରକେଲାରେ ୩୮.୨, ସୁନ୍ଦରଗଡ଼ରେ ୩୭.୬, ଅନୁଗୋଳରେ ୩୭.୭, ଚାନ୍ଦବାଲିରେ ୩୬.୭, କଟକରେ ୩୫.୬ ଏବଂ ଭୁବନେଶ୍ବରରେ ୩୫.୯ଡିଗ୍ରୀ ରହିଛି।




