ଚାମେଲୀ ଓଝାଙ୍କ ପରିବାରକୁ ଆକ୍ରମଣ ଅଭିଯୋଗ

ଚାମେଲୀ ଓଝାଙ୍କ ପରିବାରକୁ ଆକ୍ରମଣ ଅଭିଯୋଗ
Samaya Live News Picture
Published On

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ପରିବାରକୁ ଆକ୍ରମଣ ଅଭିଯୋଗ । ରବିବାର ଦୀପାବଳି ରାତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଘଟିଥିବା ଏହି ହିଂସାକାଣ୍ଡରେ ଚାମେଲୀଙ୍କ ବାପା, ଭାଇ ଏବଂ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପଞ୍ଚାୟତର ବିକାଶମୂଳକ କାର୍ଯ୍ୟର ବକେୟା ଅର୍ଥ ପ୍ରଦାନ ଏବଂ କେତେକ ଅନିୟମିତତା ବିଷୟରେ ଅଧିକାରୀ ମାନଙ୍କୁ ପ୍ରଶ୍ନ କରିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଥିବା ପ୍ରକାଶ ପାଇଥିଲା । ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ନେଇ ମାର୍ଶାଘାଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପଞ୍ଚାୟତର କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହିତ ସରପଞ୍ଚ ପରିବାରର ବିବାଦ ଚାଲିଆସୁଥିଲା। ଏହି ପୂର୍ବ ଶତ୍ରୁତାର ଆକ୍ରୋଶ ରଖି ଦୁଇଜଣ ଯୁବକ ହଠାତ୍ ସରପଞ୍ଚଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚାମେଲୀଙ୍କ ବାପା, ଭାଇ ଏବଂ ଜଣେ ନିକଟ ସମ୍ପର୍କୀୟ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲକୁ ନେଇଥିଲେ, ମାତ୍ର ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ଭୁବନେଶ୍ବର ପଠାଯାଇଥିଲା । 

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ମାର୍ଶାଘାଇ ଥାନାରେ ଉଭୟ ପକ୍ଷରୁ ପୃଥକ୍ ଭାବେ ଏତଲା ଦିଆଯାଇଛି । ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଆକ୍ରମଣରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି ।

 

Tags: