ଚଳଚଞ୍ଚଳ ରଥ ଖଳା ,୩ ରଥରେ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ

ଚଳଚଞ୍ଚଳ ରଥ ଖଳା ,୩ ରଥରେ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ
Samaya Live News Picture
Published On

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା ଓ ଦୋଳବେଦୀ ଶାଳ । ଖଳାରେ ନିହଣ ଓ ମୁଗୁର ସାହାଯ୍ୟରେ ବିଶ୍ୱକର୍ମାମାନେ ତୁମ୍ବରେ ବିନ୍ଧ ଓ ଅଗର ବିନ୍ଧ ଖୋଦେଇ ଜାରି ରଖିଛନ୍ତି । ଦ୍ରୁତଗତିରେ ଆଗେଇ ଚାଲିଛି ୩ ରଥର କାମ । ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବିନ୍ଧ ଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମରା କାର୍ଯ୍ୟ ଜାରୀ ରହିଛି । ତାଳଧ୍ୱଜ ରଥର ବିଶ୍ୱକର୍ମା ଜୟକୃଷ୍ଣ ମହାରଣା କୁହନ୍ତି, ତୁମ୍ବରେ ଅର ଫିଟିଂ ପାଇଁ ଅର କଣ୍ଟା ବାଡ଼ିଆ ହେବ । ସେଥିପାଇଁ ତୁମ୍ବରେ ଯେଉଁ ବିନ୍ଧ ହୁଏ ତାହାକୁ ଅଗରବିନ୍ଧ ବିନ୍ଧ କୁହନ୍ତି । ଅନ୍ୟପଟେ ଦୋଳବେଦୀ ଶାଳ ତିନିଟିରେ ଚକ ପାଇଁ ପନ୍ଦାରି ଓ ଅର କଣ୍ଟା ତିଆରିରେ ଲାଗିଛନ୍ତି ଓଝା ସେବକ ।

ଚକ ମଜଭୁତି ପାଇଁ ପନ୍ଦାରି ତିଆରି ହେଉଛି । ଆଗକୁ ଚକ ପାଇଁ ତିଆରି ହେବ ବଳା ଓ ପନ୍ଦାରି ଚାବି । ପନ୍ଦାରି ଚକର ମଝି ଅଂଶ ତୁମ୍ବର ଭିତର ପାଶ୍ୱର୍ରେ ଲାଗିବ। ଚକରେ ପନ୍ଦାରି ଲାଗିବା ପରେ ଚାବି ପଡ଼ିବ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ଲେଖାଏଁ ପନ୍ଦାରି ଓ ବଳା । ସେଗୁଡ଼ିକର ଆକାର ଭିନ୍ନ ଭିନ୍ନ । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ ।

ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲାବେଳେ ତୁମ୍ବରୁ ଅଖ ଖସି ନଯାଏ । ତାଳଧ୍ୱଜ ଦେବଦଳନ ଓ ନନ୍ଦିଘୋଷ ରଥ ନିର୍ମାଣ ସମାନୁପାତିକ ଭାବେ ଚାଲିଛି ।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ଆବଶ୍ୟକ ପ୍ରକାରେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ ଆଜିସୁଦ୍ଧା ତିନି ରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ ଗୋଟି ପନ୍ଦାରି ବଳା ନିର୍ମାଣ ଶେଷ କରି ଉକ୍ତ ପନ୍ଦାରି ବଳା ଗୁଡ଼ିକର ମଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୃସିଂହ ଚର୍ତୁଦ୍ଦଶୀ ପରେ ରଥ କାମ ଆହୁରି ଗତି ଧରିବ।

Tags: