ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି, ଆଜି ଚକାବିଜେ ନୀତି
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦା ବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ (ଚକା ଅପସର) ନୀତି ।
ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପରମ୍ପରା ଅନୁଯାୟୀ ଦଶମୂଳମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁ ଏହି ଦଶମୂଳ ମୋଦକ ସେବନ କଲେ ସୁସ୍ଥ ହେବେ । ରାଜବୈଦ୍ୟ ମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ଏହି ଦଶ ମୂଳାରିଷ୍ଟ ପ୍ରସ୍ତୁତ କରିଥାନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡା, ଲବଙ୍ଗ, ଦେଶୀ ଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହେବ । ବିଶ୍ୱାସ ରହିଛି, ଏହି ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।
ସେପଟେ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ପରେ ପ୍ରାଚୀ କ୍ଷେତ୍ରରୁ ମହାପ୍ରଭୁଙ୍କ ପାଇଁ ଯାଇଛି ଅଣସର ଭାର । କଟକ ନିଆଳି ମହାପ୍ରଭୁଙ୍କ ମାମୁ ଘର ମାଧବ ପୀଠରୁ ଗତ ୭ ବର୍ଷ ଧରି ମହାପ୍ରଭୁଙ୍କ ପାଇଁ ଫଳ ଭାର ପଠାଯାଉଛି । ଆମ୍ବ, ପଣସ, ସେଓ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ।
ଅନ୍ୟପଟେ ରଥଯାତ୍ରା ପାଇଁ ହାତରେ ଆଉ ୬ ଦିନ । ରଥ ନିର୍ମାଣକାରୀ ସେବାୟତଙ୍କ ହାତକୁ ଫୁରସତ ନାହିଁ । ରଥ ପାଇଁ ଆନୁସଙ୍ଗିକ କାଠ କାର୍ଯ୍ୟ ଶେଷ ହୋଇଛି । କେବଳ ରଥର ଉପରି ଭାଗର ଅଂଶ ଗୁଡ଼ିକ ଯୋଡାହେବା କାର୍ଯ୍ୟ ବାକି ରହିଛି । ପରମ୍ପରା ମୁତାବକ ରଥଚାଳିକୁ ଭୋଇ ସେବାୟତ ମାନେ କାଢିଛନ୍ତି । ଏଥିରୁ ବାହାରିଥିବା ବାଉଁଶରେ କଇଁଚି କରି ତିନି ରଥର ଚାରିଟି କରି ଦୁଆରବେଢ଼ା ରଥ ଉପରକୁ ଉଠାଯିବ ।




