ଆଜିଠାରୁ ମୟୁରଭଞ୍ଜରେ ଚଇତି ପର୍ବ ଆରମ୍ଭ
ବିଶ୍ୱ ପ୍ରସିଦ୍ଧ ଛଉ ନାଚରେ ବିଭୋର ହେବେ ଦର୍ଶକ
ବାରିପଦା : ସଂସ୍କୃତି ସମ୍ପନ୍ନ ଜିଲ୍ଲା ମୟୂରଭଞ୍ଜରେ ଆଜିଠାରୁ ଆରମ୍ଭ ହେଉଛି ଚଇତି ପର୍ବ । ଜିଲ୍ଲାର ପାରମ୍ପରିକ ଓ ସାଂସ୍କୃତିକ ପରିଚୟ ସୃଷ୍ଟି କରିଥିବା ଚୈତ୍ରପର୍ବ-୨୦୨୬ ଆଜିଠାରୁ ଧୁମଧାମରେ ଆରମ୍ଭ ହୋଇଛି । ପାଞ୍ଚଦିନିଆ ଏହି ଉତ୍ସବ ଏପ୍ରିଲ ୧୫ ପର୍ଯ୍ୟନ୍ତ କଲେଜ ପଡ଼ିଆ ଓ ଛଉ ପଡ଼ିଆରେ ଆୟୋଜିତ ହେବ, ଯାହା ସହ ପଲ୍ଲୀଶ୍ରୀ ମେଳା ମଧ୍ୟ ଆରମ୍ଭ ହୋଇଛି ।
ଆଜି ସନ୍ଧ୍ୟା ୪ଟାରୁ ମା ଅମ୍ବିକା ମନ୍ଦିରରୁ ଛଉ ପଡ଼ିଆ ପର୍ଯ୍ୟନ୍ତ ଆଦିବାସୀ ପାରମ୍ପରିକ ନୃତ୍ୟ ସହ ଏକ ବିଶାଳ କାର୍ନିଭାଲ୍ ଶୋ ଆୟୋଜିତ ହେବ। ଏହି ରଙ୍ଗିନ ଯାତ୍ରା ମୟୂରଭଞ୍ଜର ସଂସ୍କୃତିକୁ ଜୀବନ୍ତ କରିବ। ପରେ ସନ୍ଧ୍ୟା ୮ଟାରେ ଛୈତ୍ରପର୍ବର ଆନୁଷ୍ଠାନିକ ଉଦ୍ଘାଟନ ହେବ ।

ପ୍ରଥମ ଦିନରେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ଉପଖଣ୍ଡର ଗ୍ରାମୀଣ ଛଉ ନୃତ୍ୟ ଦଳ ତାଙ୍କର ଲୋକପ୍ରିୟ ପ୍ରଦର୍ଶନ ଦେଇ ଦର୍ଶକଙ୍କୁ ମୋହିତ କରିବେ । ଆସନ୍ତାକାଲି ଘଟ ସ୍ଥାପନ ପରେ ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ଛଉ ନୃତ୍ୟର ଆକର୍ଷଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିବ । ମୟୁରଭଞ୍ଜରେ ପସିଦ୍ଧ ଛଉ ନୃତ୍ୟକୁ ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି ।

ଜିଲ୍ଲା ପ୍ରଶାସନ ଓ ଓଆର୍ମାସ୍ର ଯୁଗଳ ଉଦ୍ୟମରେ ଆୟୋଜିତ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମୀଣ କାରିଗର, ଶିଳ୍ପୀ ଓ ଉତ୍ପାଦକଙ୍କୁ ଏକ ବୃହତ୍ ମଞ୍ଚ ଦେବା। ଓଡ଼ିଶାର ୨୦ଟି ଜିଲ୍ଲା ସହ ଦେଶର ୮ଟି ରାଜ୍ୟରୁ ଆସିଥିବା ଅଂଶଗ୍ରାହୀମାନେ ଏହି ମେଳାକୁ ଆହୁରି ରଙ୍ଗିନ କରିବେ। ୧୫୦ଟି ଷ୍ଟଲ ଓ ୨୦ଟି ଫୁଡକୋର୍ଟ ସହ ପଲ୍ଲୀଶ୍ରୀ ମେଳା ଦର୍ଶକଙ୍କ ପାଇଁ ହେବ ଏକ ଅନନ୍ୟ ଅନୁଭବ। ପାରମ୍ପରିକ ହସ୍ତଶିଳ୍ପରୁ ଆରମ୍ଭ କରି ସ୍ୱାଦିଷ୍ଟ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଏଠାରେ ମିଳିବ। ମୟୂରଭଞ୍ଜର ଏହି ଚିତ୍ରପର୍ବ ଏବେ କେବଳ ଏକ ଉତ୍ସବ ନୁହେଁ, ବରଂ ସଂସ୍କୃତି, ପାରମ୍ପରିକତା ଓ ଆନନ୍ଦର ଏକ ବଡ଼ ଉତ୍ସବ ହୋଇଉଠିଛି।



