ମହାନଦୀ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ୨୦୨୭ ଜାନୁଆରୀ ୧୩ ଯାଏଁ ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଶନିବାର ଏହି ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏପ୍ରିଲ ୧୩ରେ ଶେଷ ହେଉଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି । ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲଙ୍କୁ ଅତିରିକ୍ତ ୯ମାସ ସମୟ ଅବଧି ଦିଆଯାଇଛି ।
ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଉଛି । କାର୍ଯ୍ୟକାଳ ବଢ଼ିବା ଫଳରେ ଏବେ ଶୁଣାଣି ଜାରି ରହିପାରିବ ଏବଂ ବିନା କୌଣସି ନିଷ୍ପତ୍ତିରେ ମାମଲାଟି ବନ୍ଦ ହେବାର ଭୟ ରହିବ ନାହିଁ । ଗତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ନ୍ୟାୟାଧିକରଣ ଶୁଣାଣି ତଥ୍ୟାନୁଯାୟୀ ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ‘ଜଏଣ୍ଟ ଟେକ୍ନିକାଲ କମିଟି’ ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ଏହି ରିପୋର୍ଟ ଦାଖଲ ହୋଇପାରିନଥିବା ନ୍ୟାୟାଧିକରଣଙ୍କୁ ଅବଗତ କରାଯାଇଛି । ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେ ନ୍ୟାୟାଧିକରଣରେ ‘ଷ୍ଟାଟସ ନୋଟ୍’ ଦାଖଲ କରିଛନ୍ତି। ତେବେ ବିବାଦର ସମାଧାନ ତଥା ଆଲୋଚନାର ଅଗ୍ରଗତି ନେଇ ନ୍ୟାୟାଧୀକରଣ ନିର୍ଦିଷ୍ଟ ଅଗ୍ରଗତି ଅନୁଭବ କରିପାରିନଥିବା ଜଣାପଡ଼ିଛି।
୨୦୧୮ ମସିହାରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ୍ ଓ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳ ପ୍ରବାହ କମୁଥିବା ନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।




