ପୁରୀରେ କେନ୍ଦ୍ର ନିର୍ବାଚନ କମିଶନରଙ୍କ ସମୀକ୍ଷା
ପୁରୀ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ ଜ୍ଞାନେଶ ଭାରତୀ । ସେ ଆଜି ପୁରୀ ଜିଲ୍ଲା ଗସ୍ତ କରି ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନୀ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ପିପିଲି ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ସହ ଆଲୋଚନା କରିଥିଲେ ।
ଗସ୍ତ ସମୟରେ ନୂଆ ଭୋଟରଙ୍କ ନାମ ସଂଯୋଗ ପ୍ରକ୍ରିୟା, ଅନ୍ଲାଇନ୍ ଆବେଦନ, ଯାଞ୍ଚ ବ୍ୟବସ୍ଥା ଓ ଚୂଡ଼ାନ୍ତ ଭୋଟର ତାଲିକାରେ ନାମ ସାମିଲ ହେବା ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ନେଇଥିଲେ । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ପ୍ରଯୁକ୍ତିନିର୍ଭର କରିବାକୁ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଥିବାବେଳେ, ଭୋଟର ତାଲିକାର ଶୁଦ୍ଧତା ଏବଂ ଡିଜିଟାଲ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଉପରେ ଏହି ଗସ୍ତରେ ବିଶେଷ ଫୋକସ୍ ରହିଥିଲା ।
ଜୁନ୍ ୧୬ ତାରିଖରେ ରାଜଧାନୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଉପ-ନିର୍ବାଚନ ଆୟୁକ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନଙ୍କ ସହ ସ୍ଵତନ୍ତ୍ର ସଘନ ସଂଶୋଧନର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ।
ଏହାପରେ ଜ୍ଞାନେଶ ଭାରତୀ ଜୁନ୍ ୧୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କ୍ଷେତ୍ର ସ୍ତରରେ ଚାଲିଥିବା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ପରଖିବେ ଏବଂ ସ୍ଥାନୀୟ ନିର୍ବାଚନ ପ୍ରଶାସନ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ।




