ଜନଗଣନା କାରୀଙ୍କୁ ମାଡ଼ ଅଭିଯୋଗ
କାମାକ୍ଷାନଗର : ଜନଗଣନା କରିବାକୁ ଯାଇଥିବା ଅଧିକାରୀଙ୍କୁ ମାଡ଼ । ୪ଜଣ ଜନଗଣନା କାରୀଙ୍କୁ ମାଡ଼ ମରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ମହିଳା ଅଧିକାରୀ ଅଛନ୍ତି। ଜନୈକ ବ୍ୟକ୍ତି ଜନଗଣନା ଅଧିକାରୀଙ୍କୁ ଗାଳି ଗୁଲଜ କରି ଗାଡି ଭଙ୍ଗାରୁଜା କରିଥିବାବେଳେ ତାଙ୍କ ୨ ପୁଅ ମାଡ଼ ମାରିଥିଲେ । ଏହା ସହ ପଥର ଧରି ମାରିବାକୁ ଗୋଡାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସହିତ ତହସିଲଦାର ଏବଂ SDPO ଙ୍କ ସହ କାମାକ୍ଷାନଗର ସଦର ଥାନା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ ।
ଅନ୍ୟପଟେ, ଗତ ଦୁଇ ଦିନ ତଳେ ଜନଗଣନାରେ ଯାଇ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଥିଲେ । ନିଖୋଜ ଶିକ୍ଷୟିତ୍ରୀ ବାରିପଦା ବ୍ଲକ ଢେଙ୍କିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ସାହୁ । ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଥିଲେ । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ । ତେବେ ବାଲେଶ୍ବର ରେଳ ଷ୍ଟେସନ ନିକଟରୁ ଗତକାଲି ନିଖୋଜ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ସେହିପରି ଗତ ରବିବାର ଦିନ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଭୋଇ(୫୫)।ଜନଗଣନା କରିବାକୁ ଯାଇ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।



