ଜନଗଣନା ସମସ୍ୟା, କୋଟିଆ ଗଲେ ରାଜସ୍ବମନ୍ତ୍ରୀ
ଭୁବନେଶ୍ୱର : କୋଟିଆ ସୀମା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ଜନ ଗଣନାକୁ ନେଇ ଦେଖାଦେଇଛି ସମସ୍ୟା । ଏହାକୁ ନେଇ ଆଜି କୋଟିଆ ଗସ୍ତରେ ଯିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ୨୦୨୬ ଜନଗଣନାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଟଣାଓଟରା ଦେଖାଦେଇଛି । ଜନ ଗଣନା ରେ ସାମିଲ ହେବା ପାଇଁ ଆନ୍ଧ୍ର ଅଧିକାରୀମାନେ କୋଟିଆ ଆସିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ସେମାନଙ୍କୁ ତଡିପାର କରିଛନ୍ତି ।
ସୂଚନା ଅନୁଯାୟୀ, କୋଟିଆ ଅଞ୍ଚଳରେ ଓଡ଼ିଶା ପକ୍ଷରୁ ଜନଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ସେମାନଙ୍କ ଜନଗଣନାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସ୍ଥାନୀୟ ପ୍ରଶାସନ ଓ ସଚେତନ ଗ୍ରାମବାସୀ ଏହାକୁ ଜୋରଦାର ବିରୋଧ କରିବା ସହ ଆନ୍ଧ୍ର ଅଧିକାରୀଙ୍କୁ ସେଠାରୁ ତଡ଼ିପାର କରିଛନ୍ତି। ଏହି ଘଟଣା ପରେ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇଛି। ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସୀମା ସୁରକ୍ଷା ନେଇ ରାଜସ୍ୱ ମନ୍ତ୍ରୀ କୋଟିଆରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ। ରାଜ୍ୟ ସରକାର କୋଟିଆର ମାଲିକାନା ଓ ସୁରକ୍ଷାକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେପଟେ, କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର କାମ । ଶେଷ ପର୍ଯାୟ ରେ ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।



