ମେ’ ୧୫ରୁ ୨୧ ସିବିଏସଇ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା

ମେ’ ୧୫ରୁ ୨୧ ସିବିଏସଇ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା
Samaya Live News Picture
Published On

ଭୁବନେଶ୍ୱର : ସିବିଏସଇ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷ ପ୍ରଥମଥର ପାଇଁ ଦୁଇଥର ବୋର୍ଡ ପରୀକ୍ଷା ପ୍ରଣାଳୀ ଲାଗୁ ହୋଇଥିବା ବେଳେ, ଏବେ ପ୍ରକାଶ ପାଇଛି ଦ୍ୱିତୀୟ ପରୀକ୍ଷାର ତାରିଖ। ମେ’ ୧୫ରୁ ୨୧ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା, ଯାହା ପ୍ରତିଦିନ ସକାଳ ୧୦ଟା ୩୦ରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଆସିଥିବା ଏହି ନୂଆ ପ୍ରଣାଳୀ ଛାତ୍ରଛାତ୍ରୀଙ୍କୁ ଦେଇଛି ଆଉ ଗୋଟିଏ ସୁଯୋଗ, ଏହା ହେଉଛି ନିଜ ମାର୍କ ବଢାଇବାର ସୁଯୋଗ। ପୂର୍ବରୁ ଫେବୃଆରୀ-ମାର୍ଚ୍ଚ ମାସରେ ହୋଇଥିବା ପ୍ରଥମ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇ ସାରିଛି, ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି।

ତେବେ ଯେଉଁମାନେ ନିଜ ସ୍କୋର ଆଉ ଭଲ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଦ୍ୱିତୀୟ ପରୀକ୍ଷା ହେଉଛି ସୁବର୍ଣ୍ଣ ସୁଯୋଗ। ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ସିବିଏସଇ ସ୍ପଷ୍ଟ କରିଛି।

ଏହି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଉପରେ ଥିବା ଏକମାତ୍ର ପରୀକ୍ଷାର ଚାପକୁ କମାଇବାର ଅବସର ଦେଉଛି। ବିଶେଷ କରି ଭୁବନେଶ୍ୱରର ଅନେକ ବିଦ୍ୟାଳୟରେ ପ୍ରଥମ ପରୀକ୍ଷାରେ ୧୦୦% ପାସ୍‌ ହାର ଦେଖାଯାଇଥିବାରୁ ଏହି ପ୍ରଣାଳୀର ସଫଳତା ନେଇ ଆଶା ବଢ଼ିଛି। ଏହି ଦୁଇଥର ପରୀକ୍ଷା ପ୍ରଣାଳୀ କେବଳ ଏକ ପରିବର୍ତ୍ତନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଉ ଉଜ୍ଜ୍ୱଳ କରିବାର ଏକ ନୂଆ ଦିଗ। ଏବେ ଦେଖିବାକୁ ବାକୀ ମେ’ ପରୀକ୍ଷାରେ କିଏ କେତେ ଚମତ୍କାର କରିପାରିବ।

Tags: