ସୁନ୍ଦରଗଡ଼ ଏମସିଏଲରେ ସିବିଆଇ ରେଡ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏମସିଏଲରେ ସିବିଆଇ ରେଡ । ଏମସିଏଲ ଗର୍ଜନବାହାଲ, କୁଲଡା କୋଇଲା ଖଣି ଓ କନିକା ରେଲୱେ ସାଇଡିଂରେ ଦିଲ୍ଲୀ ସିବିଆଇର ୩ ଜଣିଆ ଟିମ ଚଢ଼ାଉ କରିଛି । କନିକା ରେଲୱେ ସାଇଡିଂ ଇନଚାର୍ଜ ସି.ପି. ସେଠୀଙ୍କୁ ତାଙ୍କ କମ୍ପାନି ନିବାସରୁ ଉଠାଇ ନେଇ ଜେରା କରୁଛି ସିବିଆଇ ଟିମ୍। ଖଣିରୁ ସାଇଡିଂକୁ ଯାଉଥିବା ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନଥିବା ଅଭିଯୋଗ।
ସୁନ୍ଦରଗଡ଼ ଏମସିଏଲ ନିକଟବର୍ତ୍ତୀ ଅଞ୍ଚଳ ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଚୋରା କୋଇଲା ଖଣି ଚାଲିଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ସିବିଆଇ ତଦନ୍ତ କରିବା ପାଇଁ ସଦର ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏପଟେ ସୁନ୍ଦରଗଡ଼ MCLରେ ସିବିଆଇ ଚଢ଼ାଉକୁ ନେଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କହିଛନ୍ତି,ଗତବର୍ଷ ଏପ୍ରିଲ ମାସରେ ଏହି ଚୋରା କୋଇଲା ଖଣିର ପର୍ଦ୍ଦା ଫାସ ହୋଇଥିଲା । ଆଉ ସେବେଠୁ ଦାବି ରହିଥିଲା ଏହାର ତଦନ୍ତ ଭାର ସିବିଆଇ ହାତକୁ ଦିଆଯାଉ । ସିବିଆଇ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଏହି ଚୋରିରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ସମସ୍ତେ ଧରା ପଡ଼ିବେ ବୋଲି କହିଛନ୍ତି ।



