ସିଏମଓ ରୁ ଦୁଇଟି ଫାଇଲ ହଜିବା ଘଟଣାରେ ଥାନାରେ ମାମଲା

ସିଏମଓ ରୁ ଦୁଇଟି ଫାଇଲ ହଜିବା ଘଟଣାରେ ଥାନାରେ ମାମଲା
Samaya Live News Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଜିଗଲା ଦୁଇଟି ସମ୍ବେଦନଶୀଳ ଘଟଣାର ଫାଇଲ । ଏ ନେଇ ବୁଧବାର କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏନେଇ ଅଭିଯୋଗ କରିଛନ୍ତି । ଦଫା ୩୦୫ନଂ ୩୧୬(୨) , ୨୩୮(ସି) ୨୪୧ ଓ ୬୧(୨) (ବି) ମାମଲା ପଞ୍ଜିକୃତ ହୋଇଛି ।

ଦୁଇଟି ତଦନ୍ତ କମିସନ ରିପୋର୍ଟ ଗାଏବ ପ୍ରସଙ୍ଗରେ କ୍ୟାପିଟାଲ ଥାନାରେ ଏତଲା ଦାୟର କରାଯାଇଛି । କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ । ସେହିଭଳି ଭୁବନେଶ୍ୱର ସମ୍‌ ହସ୍ପିଟାଲ ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ ଆର୍‌ଡିସି ତଦନ୍ତ କରି ରିପୋର୍ଟ ଦେଇଥିଲେ। ହେଲେ ଏହି ୨ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି ।  

ଘଟଣା ଜଣାପଡିବା ପରେ ବିଜେଡି ସରକାରକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଉପରେ ବସିଥିବା ତଦନ୍ତ କମିଶନ ରିପୋର୍ଟରେ ଏମିତି କଣ ଥିଲା, ଯାହାକୁ ନେଇ ବିଜେଡି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିଲେ ଯେ ବିଜେଡି ସରକାର ଏହାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଏବ କରିଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କମିଶନ ରିପୋର୍ଟକୁ ସାର୍ବଜନୀନ କରିବୁ ଏହା ଆମର ନିର୍ବାଚନ ସମୟରେ ସଂକଳ୍ପ ଥିଲା ବୋଲି ଅନୀଲ ସ୍ପଷ୍ଟ କରିଛନ୍ତି l 

ସେହିପରି, ଗତ ୬ ତାରିଖରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଥିବା କଥା କହିଥିଲେ । ହେଲେ କେଉଁ ୨ଟି ରିପୋର୍ଟ ଗାଏବ ହୋଇଛି, ସେ ସମ୍ପର୍କରେ ଆଉ ଅଧିକ କିଛି କହି ନ ଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧାଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରୁ ବାହାରିବା ପରେ ଗଣମାଧ୍ୟମକୁ କହିଥିଲେ, କେଉଁ ବିଧାୟକ କ’ଣ କହୁଛନ୍ତି ସେଥିରେ କିଛି ନାହିଁ । ଏନେଇ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ । ମୁଖ୍ୟମନ୍ତ୍ରୀ କହିବାର ୨ଦିନ ପରେ ହଜିଥିବା ଫାଇଲ୍‌କୁ ନେଇ ସରକାର ତତ୍ପର ହୋଇଥିବାରୁ ମନ୍ତ୍ରୀ କହିଥିବା କଥା ସତ ବୋଲି ସ୍ପଷ୍ଟ ହୋଇଛି ।

 

Tags: