ଥାନାରେ ମା'ପୁଅଙ୍କୁ ଅମାନୁଷିକ ଅତ୍ୟାଚାର, ନିଲମ୍ବିତ ଆଇଆଇସିଙ୍କ ନାଁ ରେ ମାମଲା ରୁଜୁ

ଥାନାରେ ମା'ପୁଅଙ୍କୁ ଅମାନୁଷିକ ଅତ୍ୟାଚାର, ନିଲମ୍ବିତ ଆଇଆଇସିଙ୍କ ନାଁ ରେ ମାମଲା ରୁଜୁ
Samaya Live News Picture
Published On

ମହାକାଳପଡ଼ା : ଥାନାରେ ଥାର୍ଡ଼ ଡିଗ୍ରୀ । ମା' ପୁଅଙ୍କୁ ଅମାନୁଷିକ ଅତ୍ୟାଚାର ଘଟଣାରେ ନିଲମ୍ବିତ ମହିଳା ଆଇଆଇସିଙ୍କ ନାଁରେ ମାମଲା ରୁଜୁ । ଘଟଣା ଜଣାପଡିବା ପରେ ଗତ ମେ ମାସ ୨୭ ତାରିଖରେ ରାଜନଗର ଥାନା ଆଇଆଇସି ସନ୍ଧ୍ୟା ରାଣି ଜେନାଙ୍କୁ ନିଲମ୍ବିତ କରିଥିଲେ ପୋଲିସ ଡିଜି ୱାଇ ବି ଖୁରାନିଆ । ଏହା ସହ ବିଭାଗୀୟ ପ୍ରୋସିଡିଙ୍ଗ ପାଇଁ ନିର୍ଦେଶ ଦେଇଥିଲେ । ପରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତାଳଚୁଆ ସାମୁଦ୍ରିକ ଥାନାରେ BNS ଧାରା ୨୯୬, ୭୪, ୧୧୫, ୩୫୧ ଓ ୩୦୮ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି l 

ସୂଚନା ଅନୁସାରେ ଗତ ମେ ୨୫ ତାରିଖ ଦିନ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଏକ ପାରିବାରିକ କଳହର ସମାଧାନ ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ। ସେଠାରେ ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନା ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିବା ସହ ଟଙ୍କା ମା'ଙ୍କ ମଠାରୁ ସିନ୍ଦୁର ପୋଛି ଦେଇଥିଲେ । ତଳେ ପକାଇ ଅତି ନିର୍ଦ୍ଦୟ ଭାବେ ମାଆପୁଅଙ୍କୁ ପିଟିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏପରିକି ମା' ପୁଅଙ୍କୁ ନିର୍ମମ ପ୍ରହାର ପରେ ଥାନାରୁ ସିସିଟିଭି ହଟାଇ ଦେଇଥିଲେ ସନ୍ଧ୍ୟା ରାଣୀ ଜେନା । ଏହି ଅମାନବୀୟ ଘଟଣାରେ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଆଇଆଇସି ନିଲମ୍ବିତ ହୋଇଥିଲେ ମଧ୍ୟ ପୀଡ଼ିତଙ୍କ ଲିଖିତ ଅଭିଯୋଗ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉନଥିଲା । ଶେଷରେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । 

ସେପଟେ, ସଂଧ୍ୟାରାଣୀଙ୍କ ନାଁ ରେ ପୂର୍ବରୁ ବି ଅନେକ ଅଭିଯୋଗ ରହିଛି । ଏଯାଏଁ ସେ ୩ଥର ନିଲମ୍ବିତ ହୋଇସାରିଲେଣି ।  ୨୦୨୦ରେ କେନ୍ଦୁଝର ପାଟଣା ଥାନାରେ ଜଣେ ଯୁବକଙ୍କୁ ମାଡ ମାରି ବିବାଦକୁ ଆସିଥିଲେ । ଝାରସଗୁଡ଼ାରେ ବି ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇ ହୋଇଥିଲେ ସସପେଣ୍ଡ । ବାରମ୍ବାର ଥାନାରେ ଥାର୍ଡ ଡିଗ୍ରୀ ଦେଇ ସସପେଣ୍ଡ ହୋଇଥିଲେ ବି ସୁଧୁରିଲେନି ସଂଧ୍ୟାରାଣୀ ।

Tags: