କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ହେବ ନବକଳେବର

କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ହେବ ନବକଳେବର
Samaya Live News Picture
Published On

ଭୁବନେଶ୍ୱର: ରାଜଧାନୀର ଭିଡ଼ ନିୟନ୍ତ୍ରଣ ପାଇଁ ହଟାଯିବ ଏଜି ସ୍କୋୟାରରେ ଥିବା ଟ୍ରାଫିକ ପୋଷ୍ଟ I କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯାଇ ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ । ଭୂତଳ ରାସ୍ତା ଫିଟିବା ସହ ଉପରେ ବି ଗୋଟିଏ ରାସ୍ତା ରହିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଏଜି ସ୍କୋୟାରରେ ଥିବା ଟ୍ରାଫିକ ପୋଷ୍ଟକୁ ହଟାଇ ୨ ଥାକିଆ ରାସ୍ତା – ଗୋଟିଏ ଭୂତଳ ଏବଂ ଗୋଟିଏ ଉଚ୍ଚତା ବିଶିଷ୍ଟ – ନିର୍ମାଣ କରାଯିବ ।

ରାଜ୍ୟ ରାଜଧାନୀ ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ବୃହତ ସହରାଞ୍ଚଳ ଗତିଶୀଳତା ଯୋଜନା ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କଳ୍ପନା, ଖଣ୍ଡଗିରି ଏବଂ ଜୟଦେବ ବିହାରକୁ ନାଲକୋ ସ୍କୋୟାର ସହିତ ସଂଯୋଗ କରିବା ପାଇଁ ଉଚ୍ଚତା ବିଶିଷ୍ଟ କରିଡର ସ୍ଥାପନ କରାଯିବ।

ସେହିପରି,ପ୍ରଥମେ ସଚିବାଳୟର ପାଚେରି ପଛକୁ ଘୁଞ୍ଚିଇ ରାସ୍ତା ସମ୍ପ୍ରସାରଣ କରାଯିବ । କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଓ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଦୁଇ ପଟେ ଦୁଇ ଥାକିଆ ରାସ୍ତା ହେବ । ଭୂତଳ ରାସ୍ତାଟି ଭିତରକୁ ୩ ମିଟର ଗଭୀର ଓ ଉପରକୁ ପ୍ରାୟ ଦେଢ଼ ମିଟର ଉଠି କରି ରହିବ । ଏହା ଉପରେ ଆଉ ଗୋଟିଏ ରାସ୍ତା ରହିବ । ରାଜଭବନ-ରାଜମହଲ ଓ ୟୁନିଟ୍-୧ ରାଜଭବନ ଦିଗରେ ଯାଉଥିବା ଗାଡ଼ିମୋଟର ଉପର ରାସ୍ତା ଦେଇ ଯା’ ଆସ କରିବ । କ୍ୟାପିଟାଲ ହସ୍ପିଟାଲ-ସଚିବାଳୟ ଓ ସଚିବାଳୟ-କ୍ୟାପିଟାଲ ହସ୍ପିଟାଲକୁ ଯା’ ଆସ ପାଇଁ ଭୂତଳ ରାସ୍ତାରେ ଯିବ ଗାଡ଼ିମୋଟର । ଏଥିପାଇଁ ଏକ ପ୍ରାରମ୍ଭିକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇସାରିଛି । ବର୍ଦ୍ଧିତ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୨୦ ଟି ନୂତନ ରୁଟ୍ ନିର୍ମାଣ କରାଯିବ। ଏହାଛଡା ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି) ଖୁବ୍ ଶୀଘ୍ର ପେପରଲେସ ହୋଇଯିବ ବୋଲି ଶ୍ରୀ ହରିଚନ୍ଦନ ମଧ୍ୟ ସୂଚନା ଦେଇଛନ୍ତି ।

1752480131243_Harichandan
କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ହେବ ନବକଳେବର
Tags: