୪କି.ମି ଚାଲି ଚାଲି ବିଡିଓଙ୍କୁ ଭେଟିବାକୁ ଗଲେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା । ବିଡିଓଙ୍କୁ ଭେଟିବାକୁ ୪କି.ମି. ଚାଲି ଚାଲି ଗଲେ ଛାତ୍ରଛାତ୍ରୀ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରୀଛାତ୍ର ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରୀଛାତ୍ର ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲିଚାଲି ବାହାରିଥିଲେ । ଜିଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ସେମାନେ ଜିଦ୍ ଧରିଛନ୍ତି । ଏହି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଛାତ୍ରୀଛାତ୍ର ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କୋଲକାତା ଛକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲେ । ଏହି ରାସ୍ତାରୋକ ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା । ଛାତ୍ରୀଛାତ୍ରଙ୍କ ଏଭଳି ପ୍ରତିବାଦ ଦେଖି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଥିଲେ । ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରୁଛନ୍ତି ।




