୮ ଗୁରୁତ୍ତ୍ୱପୁର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର, ବଦଳିବ ୬୪ଟି ସ୍ଥାନର ନାଁ
ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟ ବୈଠକ । ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ୮ ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର । ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।
ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା ।
ଜିଲ୍ଲାପାଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଆଧାରରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଏହା ଉପରେ ମାସେ କାଳ ଜନସାଧାରଣଙ୍କ ମତାମତ ନିଆଯିବା ପରେ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି । ରାଜ୍ୟ ସରକାର ଏନେଇ ଖୁବ୍ ଶୀଘ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବେ । ଏହା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ ଏବଂ ଜନଗଣନା କମିଶନଙ୍କ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କ ରେକର୍ଡରେ ଏହି ସଂଶୋଧନ କରିବା ପାଇଁ ଅନୁରୋଧ କରାଯିବ ।
ସେହିପରି ରାଜ୍ୟରେ ବନ୍ଦ ଥିବା ସମବାୟ ସୂତାକଳ, କଳତନ୍ତ ୟୁନିଟ୍ ଗୁଡ଼ିକର ବକେୟା ଦେୟ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଉକ୍ତ ୟୁନିଟ୍ ଗୁଡ଼ିକର ଜମିକୁ ନୂତନ ରୋଜଗାର ଭିତ୍ତିକ ଶିଳ୍ପ ପାଇଁ ଉପଲବ୍ଧ କରାଯିବ।
କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯’ରେ ସଂଶୋଧନ କରାଯାଇଛି । ଏଣିକି ସରକାରୀ କର୍ମଚାରୀମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ । ବର୍ତ୍ତମାନର ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା HRMS ପୋର୍ଟାଲ୍ ଜରିଆରେ ସମ୍ପତ୍ତି ତାଲିକା ଦେବାର ନିୟମ ଥିଲେ ମଧ୍ୟ ଅନେକ କର୍ମଚାରୀ ଏଥିରେ ଅବହେଳା କରୁଥିଲେ ।
ନୂଆ ସଂଶୋଧନ ଅନୁଯାୟୀ, ସମୟସୀମା ମଧ୍ୟରେ ତାଲିକା ଦାଖଲ ନକଲେ କିମ୍ବା ବିଳମ୍ବ କଲେ OCS (CC&A) ରୁଲ୍ସ, ୧୯୬୨ର ଧାରା ୧୬ ଅନୁଯାୟୀ ବିଭାଗୀୟ ଦଣ୍ଡବିଧାନ କରାଯିବ । ଯଦି କେହି ଭୁଲ୍ କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରନ୍ତି ତେବେ ଧାରା ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ଗୁରୁତର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ସେହିପରି ,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨ଟି, ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ, ଆଇନ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଗତ ୨ ବର୍ଷ ଭିତରେ ମୋହନ ମାଝୀଙ୍କ କ୍ୟାବିନେଟ୍ ସମୁଦାୟ ୩୦୧ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।



