ବସ୍ - ଟ୍ରଲର ମୁହାଁମୁହିଁ ଧକ୍କା, ୪ ମୃତ
ଲହୁଣୀପଡ଼ା : ସୁନ୍ଦରଗଡ଼ କୋଇଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ - ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ରାଉରକେଲାରୁ ପ୍ରମିଳା ନାମକ ବସଟି ଯାଜପୁର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାସ୍ଥଳରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ବସ୍ ଡ୍ରାଇଭର ଦଶରଥପୁର ନନ୍ଦିପୁର ପଞ୍ଚାୟତ ମନ୍ଦାରଖଣ୍ଡ ଗ୍ରାମର ବୁବୁ ଓ ହେଲପର ମଙ୍ଗଳପୁର ବଜରାପାଟର ଶିବପ୍ରସାଦ ନାୟକ। ସେହିପରି ଟ୍ରଲର ଡ୍ରାଇଭରଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରମିଳା ନାମକ ଏକ ଯାତ୍ରୀବାହୀ ବସ ଯାଜପୁରରୁ ରାଉରକେଲା ଅଭିମୁଖେ ଯାଉଥିଲା । ବଣାଇ ପୂର୍ବରୁ ଚାନ୍ଦିପୋଷ ଥାନା ୧୪୩ ନମ୍ବର ଜାତୀୟ ରାଜପଥ ମୁସାବିରା ନିକଟରେ ରାସ୍ତା ଖରାପ ଥିବାରୁ ବସ ଚାଳକ ଅନ୍ୟ ରାସ୍ତାରେ ବସ୍ ନେଇ ଯିବାବେଳେ ସାମ୍ନାପଟୁ ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାଜପୁର ଦଶରଥପୁରର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ବସକୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଯାତ୍ରୀଙ୍କୁ ବାହାର କରିଥିଲେ । ଆହତମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ରାଉରକେଲା ବିଧାୟକ ସାରଦା ନାୟକ ଆରଜିଏଚରେ ପହଞ୍ଚି ଆହତଙ୍କୁ ତୁରନ୍ତ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି ।



