ଦୀପାବଳିରେ ରାଜଧାନୀରେ ୨ଟି ସ୍ଥାନରେ ବୋମା ମାଡ଼, ୩ ଆହତ

ଦୀପାବଳିରେ ରାଜଧାନୀରେ ୨ଟି ସ୍ଥାନରେ ବୋମା ମାଡ଼, ୩ ଆହତ
Samaya Live News Picture
Published On

ଭୁବନେଶ୍ୱର : ପୁରୁଣା ଶତ୍ରୁତାକୁ ନେଇ ଦୀପାବଳିରେ ଅପରାଧୀଙ୍କ ତାଣ୍ଡବ । ବାଣ ବିବାଦରୁ ଘର ଉପରକୁ ବୋମାମାଡ଼ । ଦୀପାବଳିରେ ରାଜଧାନୀରେ ଆତଙ୍କ ଖେଳିଯାଇଛି । ଦୀପାବଳି ରାତିରେ ଭୁବନେଶ୍ୱରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀ (ଲେନ୍ ୮)ରେ ପେଟ୍ରୋଲ ବୋମାମାଡ଼ ଘଟଣା ସାମ୍ନାକୁ ଆସିଛି । ସିସିଟିଭି ଭଙ୍ଗାରୁଜା କରି ପଦ୍ମନାଭ ସାହୁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ । ବାଣ ଫୁଟାଇବାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏନେଇ ଏୟାରଫିଲ୍ଡ ଥାନାରେ  ଏତଲା ଦିଆଯାଇଛି ।

ସୂଚନାନୁସାରେ, ଦୀପାବଳି ରାତିରେ ଭୁବନେଶ୍ୱରର ଏୟାରଫିଲଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀ (ଲେନ୍ ୮)ରେ ରହୁଥିବା ପଦ୍ମନାଭ ସାହୁଙ୍କ ପରିବାରକୁ ଟାର୍ଗେଟ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପେଟ୍ରୋଲ ବୋମା ଫିଙ୍ଗିଥିଲେ । ଏହି ସମୟରେ ଦୁର୍ବୁତ୍ତ ମାନେ ମୁଁହରେ ଗାମୁଛା ଓ ହାତରେ ହତିଆର ଧରି ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ତେବେ ସେଥିରେ ବିଫଳ ହେବାରୁ ଘରେ ଲାଗିଥିବା ସିସିଟିଭି ଭାଙ୍ଗି ଘର ଉପରକୁ ପେଟ୍ରୋଲ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରିଥିଲେ I ବାଣ ଫୁଟାଇବାକୁ ବାରଣ କରିବାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି । ଘଟଣାପରେ କୌଣସି ଅଘଟଣ ଆଶଙ୍କା କରି ପରିବାର ଏୟାରଫିଲଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସେପଟେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀପାବଳିରେ ରାଜଧାନୀର ପଳାଶପଲ୍ଲୀ ଅଞ୍ଚଳରେ ଜଣକ ଘରେ ପଶି ବୋମା ମାଡ଼ କରିଛନ୍ତି ଦୁର୍ବୁତ୍ତ । ଏଥିରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ସିଦ୍ଧେଶ୍ୱର ମହାରଣା, କୃଷ୍ଣ ମହାରଣା, ମାଆ ସୌଦାମିନୀ ମହାରଣା ଏବଂ ସମ୍ପର୍କୀୟ ଭାଇ ସତ୍ୟଜିତ ରଥ। ଚାରିଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ଏୟାରପୋର୍ଟ ଥାନା ପୁଲିସ ତଦନ୍ତ ଆରମ୍ଭ କରି ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିଛି । ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ବୋମାମାଡ଼ ଓ ଖଣ୍ଡା ଆକ୍ରମଣର ରୂପ ନେବା ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Tags: