କୁଆଖାଇ ନଦୀରୁ ମିଳିଲା ନିଖୋଜ ଅଟୋ ଡ୍ରାଇଭରଙ୍କ ମୃତଦେହ
ଭୁବନେଶ୍ୱର : ନଦୀକୁ ଡେଇଁଥିବା ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ଦୀର୍ଘ ୩୬ ଘଣ୍ଟା ଧରି ନିଖୋଜ ରହିବା ପରେ ଆଜି ଲିଙ୍ଗିପୁର କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ମୃତଦେହ । ୨ ଦିନ ଧରି ଅପରେସନ ଜାରି ରଖିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ମୃତକ ହେଲେ ଭୁବନେଶ୍ୱର ଓଲ୍ଡ ଟାଉନ ହରଚଣ୍ଡୀ ସାହିର ସଞ୍ଜୟ ସ୍ବାଇଁ । ସୋମବାର ରାତିରେ ବାଙ୍କୁଆଳ ନିକଟ କୁଆଖାଇ ବ୍ରିଜ୍ ଉପରେ ଅଟୋ ଓ ମୋବାଇଲ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ ।
ସୂଚନା ଅନୁସାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିଲା । ଟଙ୍କପାଣି ବ୍ରିଜ୍ ଉପରେ ଅଟୋ ଛିଡ଼ା ହୋଇଥିବା ବେଳେ ତା’ ନିକଟରେ ଚପଲ ପଡ଼ିରହିଥିବା ଦେଖିବାକୁ ମିଳିଥିଲା । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲା । ଯାଞ୍ଚରୁ ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା । ନଦୀରେ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଥିଲେ ।




