ଜୁନ ୩୦ ସୁଦ୍ଧା ବୋର୍ଡ-ନିଗମ ନିଯୁକ୍ତି
ଭୁବନେଶ୍ୱର : ବୋର୍ଡ-ନିଗମ ନିଯୁକ୍ତି ପାଇଁ ଫିଟିଲା ବାଟ । ଆଗାମୀ ୩୦ ତାରିଖ ସୁଦ୍ଧା ହେବ ନିଗମ ବୋର୍ଡ ନିଯୁକ୍ତି । ଏନେଇ ଆରମ୍ଭ ହୋଇଛି ସରକାରୀ ସ୍ତରରେ ପ୍ରକ୍ରିୟା । ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ଚିଠି ଜାରି ହୋଇଛି । ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ-ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର। ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ ।
ନିର୍ଦ୍ଦେଶ ଅନୁସାରେବର୍ତ୍ତମାନ ସୁଦ୍ଧା ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୧୭ ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି। ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବଶୀଘ୍ର ଏହାକୁ ପୂରଣ କରାଯିବ ବୋଲି ସୂଚନା ମିଳିଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଉଥିଲା ।



