ଶିମିଳିପାଳରୁ କଳା ବାଘୁଣୀ ର ମୃତଦେହ ଉଦ୍ଧାର
ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରୁ ଉଦ୍ଧାର ହେଲା କଳା ବାଘୁଣୀ ର ମୃତଦେହ । ଶିମିଳିପାଳ ଟାଇଗର ରିଜର୍ଭର କୋର୍ ଅଞ୍ଚଳରେ ଥିବା ୟୁବିକେ କ୍ୟାମ୍ପ ଜଟିଆଣି ନିକଟରୁ ବାଘୁଣୀର ମୃତଦେହ ମିଳିଛି । ଯାହାର ଆନୁମାନିକ ବୟସ ୫ ବର୍ଷ ହେବ । ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ଏକ ମାଈ ମେଲାନିଷ୍ଟିକ ବାଘର ମୃତଦେହ ଠାବ କରିଥିଲେ । ଖବର ପାଇବା ମାତ୍ରେ ଶିମିଳିପାଳ ଟାଇଗର ରିଜର୍ଭର କ୍ଷେତ୍ର ନିର୍ଦ୍ଦେଶକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଖବର ପାଇବା ପରେ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣା ପଡି ନାହିଁ ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ମାନକ କାର୍ଯ୍ୟପ୍ରଣାଳୀ ଅନୁଯାୟୀ ଗତ ୭ ତାରିଖରେ ଏକ ବିଶେଷଜ୍ଞ ଦଳ ଦ୍ୱାରା ବାଘର ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା । ଗତକାଲି NTCAର SOP ଅନୁସାରେ ପୋଷ୍ଟମର୍ଟମ୍ କରାଯାଇଥିଲା । ପୋଷ୍ଟମର୍ଟମ୍ ସମୟରେ ପ୍ରାଥମିକ ଭାବେ ବାଘୁଣୀର ଶରୀରରେ କୌଣସି ଆଘାତ ଚିହ୍ନ କିମ୍ବା ମୃତ୍ୟୁର ସ୍ପଷ୍ଟ କାରଣ ମିଳିନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳକୁ ସୁରକ୍ଷିତ କରାଯିବା ସହ ବାଘୁଣୀର ବିଭିନ୍ନ ଜୈବିକ ନମୁନା ସଂଗ୍ରହ କରାଯାଇଛି ।
ଟକ୍ସିକୋଲୋଜିକାଲ୍, ପାଥୋଲୋଜିକାଲ୍ ସହ ଅନ୍ୟାନ୍ୟ ପରୀକ୍ଷା ପାଇଁ ନମୁନାଗୁଡ଼ିକୁ ଭୁବନେଶ୍ୱର OUATର Centre for Wildlife Healthକୁ ପଠାଯାଇଛି । ଲାବୋରେଟୋରୀ ରିପୋର୍ଟ ଆସିବା ପରେ ବାଘୁଣୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ପୋଷ୍ଟମର୍ଟମ୍ ପରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ବାଘୁଣୀର ମୃତଦେହକୁ ଦାହ କରି ନଷ୍ଟ କରାଯାଇଛି । ପୋଷ୍ଟମର୍ଟମ ଠାରୁ ଆରମ୍ଭ କରି ମୃତଦେହ ପାଉଁଶରେ ପରିଣତ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ବାଘୁଣୀର ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ନା ଅନ୍ୟ କୌଣସି କାରଣ ରହିଛି, ତାହା ଲାବ୍ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ ।




