ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଗତକାଲି (ରବିବାର) ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ସ୍ୱାଗତ କରି ପାଛୋଟି ନେଇଥିଲେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ନୀତିନ ନବୀନଙ୍କର ପ୍ରଥମ ଓଡ଼ିଶା ଗସ୍ତ ।
ଆଜି ସକାଳ ସକାଳ ୮:୩୦ରେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । କୋର କମିଟିରେ ଦଳର ପ୍ରମୁଖ ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ଯୋଗ ଦେଇଛନ୍ତି ।
ବୈଠକ ପରେ ୧୦:୩୦ରେ ଆଇଆଇଟି ଜଟଣୀ ନିକଟସ୍ଥ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬ ତାଲିମ ଶିବିରକୁ ମଧ୍ୟ ଉଦଘାଟନ କରିବେ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି ।
କାର୍ଯ୍ୟକ୍ରମ ପରେ, ନୀତିନ ନବୀନ ଅପରାହ୍ନ ୧.୧୫ରେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀକୁ ଯାତ୍ରା କରି ମହାପ୍ରଭୁଙ୍କ ଦର୍ଶନ ପରେ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନରେ 'ମହାପ୍ରସାଦ' ସେବନ କରିବେ । ଏହାପରେ ସେଠାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି ।



