ଆସାମ ଓ ତାମିଲନାଡୁ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି
ଭୁବନେଶ୍ୱର : ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ । ଆସାମ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେହିପରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଛି ବିଜେପି । ଏହା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଓ ଜମୁ କାଶ୍ମୀର ବିରୋଧୀ ଦଳ ନେତା ସୁନିଲ କୁମାର ଶର୍ମାଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆ ଯାଇଛି ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ।
ରାଷ୍ଟ୍ରୀୟ ବିଜେପି ସଭାପତି ଜେ.ପି ନଡ୍ଡା ୨ୟ ଥର ପାଇଁ ଏହି ଗୁରୁ ଦାୟିତ୍ବ ବୈଜୟନ୍ତ ପଣ୍ଡାଙ୍କୁ ଅର୍ପଣ କରିଛନ୍ତି। ୨୦୨୪ରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଥିଲେ। ବୈଜୟନ୍ତଙ୍କ ଗୋଟି ଚାଳନାରେ ଦିଲ୍ଲୀ ମୈଦାନ ଦଖଲ ପରେ ବୈଜୟନ୍ତ ପଣ୍ଡା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ପୁଣି ୨ୟ ଥରେ ପାଇଁ ତାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଭାବରେ ଗୁରୁ ଦାୟିତ୍ୱ ପ୍ରଦାନ କରିଛି ଦଳ ।




