ବିଜେଡି ର 'କୋକେଇ' ଶୋଭାଯାତ୍ରା
ଭୁବନେଶ୍ୱର : ଏସ୍ସିବି ପ୍ରସଙ୍ଗରେ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କରିବାରୁ ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ମଙ୍ଗଳବାର ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବିରୋଧୀ ହଟ୍ଟଗୋଳ କରିବାରୁ ବାରମ୍ବାର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।
ସେପଟେ ଆଜି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଧାନସଭା ପରିସରରେ । ସ୍ୱାସ୍ଥ୍ୟ ବିଭାଗ ମରିଗଲା ବୋଲି କହି କାନ୍ଦି କାନ୍ଦି ଗୃହ ବାହାରେ 'କୋକେଇ' ଶୋଭାଯାତ୍ରା କରିଥିଲେ ବିଜେଡି । ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରୁଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି । ବିଧାୟକମାନେ ମୁଣ୍ଡ ପିଟି କାନ୍ଦିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇଥିଲା । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲେ ବିଧାନସଭା ପରିସର ।
ଅନ୍ୟପଟେ,ଶାସକ ବିଜେପି ଏହାକୁ ଡ୍ରାମା ବୋଲି କହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସମାଧାନ ନୁହେଁ । ସମ୍ବେଦନଶୀଳ ଘଟଣାରେ ବିଜେଡି ରାଜନୀତି କରୁଛି ବୋଲି କହିଛନ୍ତି ବିଜେପି ନେତା ମାନସ ଦତ୍ତ । ସେ କହିଛନ୍ତି ଗତକାଲି ଫାକ୍ଟ ଫାଇଣ୍ଡିଂ ଟିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।



